Latest Odisha News

ଅଗ୍ନିବୀରଙ୍କ ପାଇଁ ମୋହନ ସରକାରର ବଡ଼ ନିଷ୍ପତି, ଓଡ଼ିଶାରେ ମିଳିବ ବିଶେଷ ସୁବିଧା

ଭୁବନେଶ୍ୱର: ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ଏହି ଘୋଷଣା କରିଛନ୍ତି।

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଅଗ୍ନିବୀରଙ୍କ ପାଇଁ ବୟସ ଛାଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଷଣା କରାଯାଇଥିବା ବୟସ ସୀମା ୫ ବର୍ଷ ରଖାଯାଇଛି। ଅଗ୍ନିବୀର ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଐତିହାସିକ ଯୋଜନା। ଏହି ଯୋଜନା ଦେଶର ଯୁବପିଢ଼ିଙ୍କୁ ଦକ୍ଷ, ସାହସୀ ଓ ସକ୍ଷମ କରିଛି। ଜୀବନର ସବୁ କ୍ଷେତ୍ରରେ ଥିବା ଆହ୍ୱାନକୁ ଗ୍ରହଣ କରିପାରୁଥିବା ଯୁବକ ମାନଙ୍କୁ ଗଢ଼ିତୋଳିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏହା ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ପଦବୀ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ତଥାପି ବିରୋଧୀ ଏବେ ବି ଏହା ଉପରେ ଆକ୍ରମଣାତ୍ମକ ଅଛନ୍ତି ଏବଂ ଅନେକ ବିରୋଧୀ ନେତା କହୁଛନ୍ତି ଯେ ଯଦି ତାଙ୍କ ସରକାର ଆସେ ତେବେ ଆମେ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନାକୁ ଶେଷ କରିଦେବୁ ।

ସୂଚନାଯୋଗ୍ୟ, ୨୦୨୨ ଜୁନ୍ ମାସରେ କେନ୍ଦ୍ର ସରକାର ଭାରତୀୟ ସେନା ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ଯୁବକଯୁବତୀଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଆଉ ୧୫ ବର୍ଷ ପାଇଁ ବଜାୟ ରଖିବାକୁ ଲକ୍ଷ୍ୟ ରଖାଯାଇଛି।

ମୋଦୀଙ୍କ ତୃତୀୟ ପାଳି ସରକାରରେ ବିଭିନ୍ନ ରାଜ୍ୟର ସରକାର ଅଗ୍ନୀବିରଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର, ୟୁପି, ଛତିଶଗଡ ଆଦି ରାଜ୍ୟ ଘୋଷଣା କରିଥିବା ବେଳେ ଏବେ ଓଡ଼ିଶା ସରକାର ସମାନ ନିଷ୍ପତ୍ତି ନେଇଛନ୍ତି।

Comments are closed.