Latest Odisha News

BREAKING NEWS

ନିଜ ମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝର ବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ପାଖରେ ପାଇ ଖୁସି ମନାଉଛି କେନ୍ଦୁଝର ।

ହେଲିପ୍ୟାଡ ଯୋଗେ ଆଜି ସକାଳେ କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ସେଠାରେ ଉପସ୍ଥିତ ଥିବା ଜନସମୁଦ୍ରକୁ ସାକ୍ଷାତ କରିବା ପରେ ଘଟଗାଁରେ ମା ତାରେଣୀଙ୍କୁ ଦର୍ଶନ କରିବା ପାଇଁ ନିଜ କାରକେଡ ସହ ଯାତ୍ରା କରୁଛନ୍ତି ମୋହନ ମାଝୀ । ଘଟଗାଁରେ ଏକ ରୋଡ ଶୋ ଯୋଗେ ମା’ଙ୍କ ଆଶିଷ ନେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପଟେ ସଜେଇ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗାଁ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ଥର ପାଇଁ ମୋହନ ମାଝୀ ତାଙ୍କ ଗାଁ ରାଇକଳା ଗସ୍ତ କରୁଥିବାରୁ ଗାଁକୁ ସଫା ଓ ସୁନ୍ଦର କରୁଛନ୍ତି ଗାଁ ଲୋକମାନେ । ଏହା ସହିତ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯାଇଛି ।

ସୂଚନାଯୋଗ୍ୟ, ୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ ଶୋ’ କରି ଘଟଗାଁର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ସାରି ସେଠାରୁ ପୁଣି ହେଲିକପ୍ଟର ଯୋଗେ କେନ୍ଦୁଝର ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବେ । ଏହାପରେ କାର ଯୋଗେ ପୁରୁଣା ସହର ଯାଇ ବଳଦେବଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ’ କାର୍ଯ୍ୟକ୍ରମ ପରେ ସେଇଦିନ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Comments are closed.