Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜନ୍ମମାଟି ଗସ୍ତ କରିବେ ମୋହନ ମାଝୀ

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିକୁ ଗସ୍ତ କରିବେ ମୋହନ ଚରଣ ମାଝି । ସେଠାରେ ସେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । କେନ୍ଦୁଝର ସହରର ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଘଟଗାଁ, କେନ୍ଦୁଝର ଓ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ ରାଇକଳା ଓ ଝୁମ୍ପୁରା ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମିଳିଥିବା ଖବର ମୁତାବକ, ଆସନ୍ତା ୨୩ ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଘଟଗାଁରେ ଆସି ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଘଟଗାଁର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ସାରି ରୋଡ ଶୋ’ କରିବେ । ସେଠାରୁ ପୁଣି ହେଲକପ୍ଟର ଯୋଗେ କେନ୍ଦୁଝର ଆସି ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବେ । ଏହାପରେ କାର ଯୋଗେ ପୁରୁଣା ସହର ଯାଇ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ସେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ହେଲିକପ୍ଟରରେ ଯିବାର କାର୍ଯ୍ୟକ୍ରମ ରହିଛି । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ’ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.