Latest Odisha News

ରାଜଧାନୀରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ସ୍ପଷ୍ଟ ହେଲା ମୋହନ ସରକାରର ଆଭିମୁଖ୍ୟ

ଭୁବନେଶ୍ୱର: ନବୀନ ସରକାର ଯିବା ପରେ ଅନେକ ଯୋଜନା ଏବଂ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ ଅନ୍ୟତମ ପ୍ରକଳ୍ପ ହେଉଛି ମେଟ୍ରୋ ପ୍ରକଳ୍ପ । ଏହାରି ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ସମୟ ସୀମା ଅନୁଯାୟୀ ଜାରି ରହିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟସୀମା ପୂରଣ ହେବ।

ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏହାକୁ ଏକ ଗ୍ଲୋବାଲ୍ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ। ଏ ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଏବଂ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମ୍ପୂର୍ଣ୍ଣ ହେବା ଦରକାର ବୋଲି ସେ କହିଛନ୍ତି।

ରାଜ୍ୟର ସମସ୍ତ ସହରାଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଏନଏସି, ପୌରପାଳିକା ଏବଂ ମହାନଗର ନିଗମ ଅଧିକ ସକ୍ରିୟ ହେବା ଆବଶ୍ୟକ । ଏଥିପାଇଁ ଭିତ୍ତିଭୂମି ଓ ଅତ୍ୟାଧୁନିକ ସୁବିଧା ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳରେ କୃତ୍ରିମ ବନ୍ୟା ରୋକିବା ଏବଂ ଭୁବନେଶ୍ୱର ଉପରେ ଗୁରୁତ୍ୱ ଦେଇ ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିକାଶ ମୂଳକ କାର୍ଯ୍ୟ ସହିତ ଜନକଲ୍ୟାଣ କୁ ମଧ୍ୟ ବିଚାରକୁ ନିଆଯିବା ଦରକାର ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ସହରାଞ୍ଚଳରେ ବର୍ଷା ଜଳ ଓ ବନ୍ୟା ଜଳ ପରିଚାଳନା ନେଇ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାକୁ ପାଳନ କରିବାକୁ ସମସ୍ତ ପୌର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ ‘ନଗର ଉନ୍ନୟନର ସଫଳ ଯାତ୍ରା’ ଉପରେ ଏକ ଉପସ୍ଥାପନା ଦେବା ସହ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ।

Comments are closed.