ପାପଡ଼ାହାଣ୍ଡି: ବୟସ ଆଠ ବର୍ଷ । କଁଅଳ ଶରୀର । ଜନ୍ମରୁ ଗୋଡ଼ ଦୁଇଟି ବକ୍ର । ସିଧା ସ୍ଵାଭାବିକ ଭାବେ ଚାଲିବା କଷ୍ଟକର । ତଥାପି ଅଝଟ ମନ । ବାଡ଼ି ଖଣ୍ଡେକୁ ଆଶରା କରି ନିଇତି ଯାଉଛି ଦୁଇ କିଲୋମିଟର ଦୂର ସ୍କୁଲ ଯାଉଛି ମୋହନ ।
ଏ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରାବଣଗୁଡ଼ା ଗାଁର ବଳରାମ ମାଝୀଙ୍କ ଆଠ ବର୍ଷର ପୁଅ ମୋହନର କରୁଣ କଥା। ତାକୁ ଦେଖିଲେ ତା ଜୀବନର ସବୁ ଦିନିଆ କଷ୍ଟ ଜଳଜଳ ଦିଶୁଛି । କିନ୍ତୁ ମୋହନ ହେଉଛି, ଆଗ୍ରହ, ଇଚ୍ଛା ଏବଂ ଦୃଢ଼ ମନୋବଳର ପ୍ରତୀକ ।
ତାର ଶାରୀରିକ ପରିସ୍ଥିତିରେ ଦିନ ଭିତରେ କିଛି ବି କରିବା ସହଜ ନୁହେଁ । କିନ୍ତୁ ମୋହନର ଇଚ୍ଛା ଆଉ ପାଠ ପଢ଼ିବା ପାଇଁ ଆଗ୍ରହ ସଭିଙ୍କ କଳ୍ପନା ବାହାରେ । ସେ ସ୍କୁଲ ବନ୍ଦ କରିବାକୁ ଅଝଟ କରେନି କି ତାକୁ ନେଇ ଯିବାକୁ କାହାକୁ ଅପେକ୍ଷା କରେନି । ସେ ନିଜେ ଯାଏ ଆଉ ଏକା ଯାଏ ।
ବାପା ବଳରାମ ବଢ଼େଇ କାମ କରି ପରିବାର ଭରଣପୋଷଣ କରନ୍ତି । ଗ୍ରାମାଞ୍ଚଳରେ ସବୁ ଦିନ କାମ ମିଳିବା କଷ୍ଟ । ଦୁଇଟି ଗୋଡ଼ ଘୋଷାରି ଗୋଟିଏ ବାଡ଼ିକୁ ଧରି ଘରୁ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରତିଦିନ ଯାଏ ମୋହନ ।
ଗରିବୀ ପରେ ପୁଅର ଏଭଳି ଅବସ୍ଥା ବଳରାମଙ୍କ କଷ୍ଟ ଉପରେ ଆଉ ଏକ ଲଦା। ତୃତୀୟ ଶ୍ରେଣୀରେ ପଢ଼ୁଥିବା ମୋହନ ଆଗ୍ରହ ନିକଟରେ ହାର ମାନିଛି ଶାରୀରିକ ଅକ୍ଷମତା। ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମୋହନର ଚିକିତ୍ସା ହେଇପାରୁନି। ଏଯାଏଁ ମିଳିନି ଦିବ୍ୟାଙ୍ଗ ପ୍ରମାଣ ପତ୍ର । ଯାହା ତାଙ୍କୁ ଭତ୍ତାରୁ ମଧ୍ୟ ବଞ୍ଚିତ କରିଛି। ଟ୍ରାଇ ସାଇକଲ ବା କେମିତି ମିଳିବ ।
ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଁ ମୋହନକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ଏ ସକାଶେ କୋରାପୁଟ ଯିବାକୁ ପଡ଼ିବ ବୋଲି ଡାକ୍ତର କହିବା ପରେ ଅର୍ଥାଭାବରୁ ସେଠୁ ଫେରି ଆସିଥିଲେ । ମୋହନ ଭଳି ଦିବ୍ୟାଙ୍ଗଙ୍କୁ ସରକାର ମାଗଣାରେ ଟ୍ରାଇ ସାଇକଲ ଯୋଗାଉଛନ୍ତି । କିନ୍ତୁ ମୋହନ ସେଥିରୁ ବଞ୍ଚିତ ।
ମୋହନ ଭଳି ଆଗ୍ରହୀ ପିଲାର ଚିକିତ୍ସା ଏବଂ ଟ୍ରାଇସାଇକେଲଟିଏ ଯୋଗାଇଦେଲେ ସେ ନିଶ୍ଚୟ ଉପକୃତ ହେବ ବୋଲି ପିତାମାତା, ସ୍ଥାନୀୟ ବାସିନ୍ଦା ଏବଂ ଶିକ୍ଷକ ମତ ଦେଇଛନ୍ତି ।
Comments are closed.