Latest Odisha News

ଚକା ବିଜେ କରିବେ ଶ୍ରୀବିଗ୍ରହ

ପୁରୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପରେ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି । ଯାହା ଦ୍ବାରା ସ୍ଥୁସ୍ଥ ଅନୁଭବ କରୁଛନ୍ତି ଶ୍ରୀବିଗ୍ରହ । ସେପଟେ ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଏବେ ଶୟନ ଅବସ୍ଥାରୁ ଉଠି ଚକା ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳମୋଦକ ଆଜି ଶ୍ରୀମନ୍ଦିର ଗାରଦରେ ଜିମା ଦିଆଯାଇଛି । ଆସନ୍ତାକାଲି ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୋୗବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଦଶମୀ ତିଥିରେ ଆଜି ଚକାବିଜେ କରିବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଏହାପରେ ଦଇତାପତି ସେବକମାନେ  ଶ୍ରୀଜିଉମାନଙ୍କୁ ଚକା ଉପରେ ବିଜେ କରାଇବେ । ଚକା ଉପରେ ମହାପ୍ରଭୁଙ୍କୁ ଚକଟା ଓ ପଣା ଭୋଗ ଲାଗି କରାଯିବ।

ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା।ସେବେଠାରୁ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଲାଗି ହୁଏ ଦଶମୂଳମୋଦକ । ସେନେଇ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଏହି ଦଶମୂଳମୋଦକ ଆଜି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି | ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଏହି ଦଶ ମୂଳାରିଷ୍ଟ | ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିର୍ଣ୍ଣ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ମଙ୍ଗଳବାର ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଶ୍ରୀଜୀଉ |

କାହିଁ କେତେ କାଳରୁ ଚାଲିଆସୁଛି ଏହି ପରମ୍ପରା । ଗଜପତିଙ୍କ ଆଜ୍ଞା କ୍ରମେ ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ରାଜବୈଦ୍ୟ । ଏକାଦଶୀରେ ଏହି ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ମହାପ୍ରଭୁ । ଏହାପରେ ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବାର ପରମ୍ପରା ରହିଛି  ।

ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ  ଓଡ଼ିଶା ସମ୍ବାଦ

Leave A Reply

Your email address will not be published.