Odisha Assembly Monsoon Session: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଚି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
ତେବେ ଗୁରୁବାର ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏଥର ପ୍ରବଳ ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଯାହା ସେପ୍ଟେମ୍ବର 25 ପର୍ଯ୍ୟନ୍ତ ଚାଲିବ । ବିରୋଧୀ କଂଗ୍ରେସ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ। ସେପଟେ ବିଜେଡି ମଧ୍ୟ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା, ସାର ଅଭାବ ଏବଂ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ଏଥର ଗୃହ ବିରୋଧୀଙ୍କ ଗର୍ଜନରେ କମ୍ପିବା ନେଇ ଆଶା କରାଯାଉଛି ।
ସରକାର ମଧ୍ୟ ବିରୋଧୀଙ୍କ ପ୍ରଶ୍ନବାଣର ଜବାବ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି ।
କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ
କଂଗ୍ରେସ ବିଧାୟକ ଦଳ (ସିଏଲପି) ନେତା ରାମ ଚନ୍ଦ୍ର କାଡାମ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦଳ ଅଧିବେଶନ ସମୟରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବ । “ଓଡ଼ିଶାର ଲୋକମାନେ ବିଜେପି ସରକାରଙ୍କ ଉପରେ ବିଶ୍ୱାସ ହରାଇଛନ୍ତି। ଏହା ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି, ଏବଂ ଆମେ ଏହି ପ୍ରସଙ୍ଗଗୁଡ଼ିକୁ ଗୃହରେ ଉଠାଇବାକୁ ବାଧ୍ୟ”, ବୋଲି କାଡାମ କହିଛନ୍ତି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ସମୟରେ ବଳାତ୍କାର, ମହିଳା, ଦଳିତ ଏବଂ ଆଦିବାସୀଙ୍କ ବିରୁଦ୍ଧରେ ଅତ୍ୟାଚାର ଘଟଣା ନିୟନ୍ତ୍ରଣହୀନ ହୋଇଛି। ସେ ପ୍ରଶାସନ ଉପରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ନଦେବାର ଅଭିଯୋଗ ମଧ୍ୟ କରିଛନ୍ତି। ଏଥିସହିତ ପିସିସି ସଭାପତି ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଜଣେ ମହିଳା ଟ୍ରାଫିକ୍ ପୋଲିସଙ୍କ ହତ୍ୟା ଏବଂ ପୁରୀ ଜିଲ୍ଲାରେ ଜଣେ କଲେଜ ଛାତ୍ରୀଙ୍କ ଗଣବଳାତ୍କାର ଘଟଣା ଉପରେ ବିଶେଷ ଚିନ୍ତା ପ୍ରକାଶ କରିଛନ୍ତି। “ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଧରିବା ସତ୍ତ୍ୱେ, ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ନିରନ୍ତର ଜାରି ରହିଛି। ଏହି ଆଇନ ଶୃଙ୍ଖଳା ପତନ ପାଇଁ ଆମେ ସରକାରଙ୍କୁ ଦାୟୀ କରୁଛୁ,” ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ ।
ସରକାରଙ୍କୁ ଟାର୍ଗେଟ କରିବାକୁ ବିଜେଡିର ରଣନୀତି
ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ, ବିଜେଡି ସରକାରଙ୍କ ଉପରେ ବର୍ଷିଛି, ଏହାର କାର୍ଯ୍ୟଦକ୍ଷତାକୁ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଏନେଇ ବିରୋଧୀ ଦଳ ନେତା ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ଛୋଟ ଅଧିବେଶନର ବିଶେଷ ରାଜନୈତିକ ଗୁରୁତ୍ୱ ରହିଛି । “ମାତ୍ର ସାଢ଼େ ତିନି ମାସ ମଧ୍ୟରେ, ତଥାକଥିତ ଡବଲ ଇଞ୍ଜିନ ସରକାରଙ୍କ ଅଦକ୍ଷତା ଏବଂ ଉଦାସୀନତା ସ୍ପଷ୍ଟ ହୋଇଛି। ମହିଳା ସୁରକ୍ଷା, ସାର ଯୋଗାଣ ଏବଂ କୃଷକଙ୍କ ସ୍ୱାର୍ଥ ସୁରକ୍ଷା ଭୁଶୁଡ଼ି ପଡ଼ିଛି,” ବୋଲି ନବୀନ କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ “ସରକାର ଅଧିକାରୀମାନଙ୍କୁ ଅଧିକ ଆର୍ଥିକ କ୍ଷମତା ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, ନିର୍ବାଚିତ ପ୍ରତିନିଧିମାନଙ୍କୁ କ୍ଷମତାହୀନ କରି ଦେଉଛନ୍ତି”। ଯାହାକୁ ବିଧାନସଭାରେ କଡ଼ା ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନବୀନ ।
ଖାଲି ସେତିକି ନୁହେଁ, ରଥଯାତ୍ରାରେ ଦଳାଚକଟା ଭଳି ପରିସ୍ଥିତି ପାଇଁ ମଧ୍ୟ ନବୀନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ‘ଏପରି ବିଶୃଙ୍ଖଳା ଏବଂ ହିଂସା ପ୍ରଶାସନର ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବାରେ ବିଫଳତାକୁ ପ୍ରତିଫଳିତ କରୁଛି’। “ମିଛ ପ୍ରଚାର କରିବା ବ୍ୟତୀତ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି। ଚାଷୀ, ମହିଳା, ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ଓଡ଼ିଆ ପରିଚୟକୁ ସୁରକ୍ଷା ଦେବା ପାଇଁ ଆମେ କଠୋର ପଦକ୍ଷେପ ନେବୁ,” ନବୀନ କହିଛନ୍ତି ।
Comments are closed.