Latest Odisha News

BREAKING NEWS

ଏପଟେ ବର୍ଷା ସେପଟେ ଜଳୁଛି ଓଡିଶା, ମୌସୁମୀ ଆସିଲେ ବି ଗରମରୁ ନାହିଁ ନିସ୍ତାର

ଭୁବନେଶ୍ଵର: ଗତକାଲି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି ମୌସୁମୀ । ଏହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରରେ ୮.୭, ଫୁଲବାଣୀରେ ୭.୬, ଚାନ୍ଦବାଲିରେ ୪.୮ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ଏହି ସବୁ ଜିଲ୍ଲା ଓ କେତେକ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ କିନ୍ତୁ ଜଳୁଛି ପଶ୍ଚିମ ଓଡିଶା । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ରହିବ । ଆଜିଠାରୁ ୧୨ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଏହିଭଳି ଭାବରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ସେହିଭଳି ଆଜି ହିଟ ୱେଭ ପାଇଁ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଗତବର୍ଷ ଜୁନ ୨୨ରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। କିନ୍ତୁ ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମୌସୁମୀ । ତେବେ ଆସନ୍ତା ୧୮ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.