ଭୁବନେଶ୍ୱର:ଏଥିର ସହଳ ମୌସୁମୀ ଆସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବ। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା। ତେବେ ୭ ଦିନ ବିଳମ୍ବରେ ଅର୍ଥାତ୍ ଜୁନ ୮ରେ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା।
ପାଖାପାଖି ୧୦ ଦିନ ବିଳମ୍ବରେ ଜୁନ ୨୨ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ପହଞ୍ଚିଥିଲା। ଗତ ବର୍ଷ ଗୁଜରାଟ ଉପକୂଳ ଛୁଇଁଥିବା ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଗରମ ବାୟୁର ପ୍ରବେଶ ହେତୁ ଜୁନ ମାସର ପ୍ରାରମ୍ଭରେ ମୌସୁମୀ ପ୍ରବେଶ ବିଳମ୍ବ ସହ ପାଖାପାଖି ୩୭% କମ୍ ବର୍ଷା ରେକର୍ଡ କରାଯାଇଥିଲା। ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ବାତ୍ୟା କିମ୍ବା ଅବପାତ ପାଣିପାଗ ପ୍ରକ୍ରିୟା ସୃଷ୍ଟି ନହୁଏ ତେବେ କେରଳ ତଥା ଓଡ଼ିଶାକୁ ସମୟ ପୂର୍ବରୁ ମୌସୁମୀ ଅଗ୍ରସର ହେବାର ସମ୍ଭାବନା ଥାଏ। ଚଳିତ ବର୍ଷ ବାତ୍ୟା ଥିବାକୁ ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।
ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ପାଗ ଅପରିବର୍ତ୍ତିତ ରହିବ। ୧୭ ତାରିଖଠାରୁ ରାଜ୍ୟର କିଛି ସ୍ଥାନରେ ତାତିରୁ ୨ ରୁ ୪ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
Comments are closed.