Latest Odisha News

ଦୂରେଇ ଯାଉଛି ଚନ୍ଦ୍ର, ଦିନ ହେବ ଲମ୍ବା

ନୂଆଦିଲ୍ଲୀ: ଚନ୍ଦ୍ର ପୃଥିବୀର ଏକମାତ୍ର ସୁନ୍ଦର, ଛୋଟ ଉପଗ୍ରହ । ଚନ୍ଦ୍ରକୁ ନେଇ ମଣିଷ ବି ସୁନ୍ଦର ସୁନ୍ଦର ପରିକଳ୍ପନା କରିଆସିଛି । ଜହ୍ନମାମୁରେ ଘର କରିବା ପାଇଁ ଦେଖିଛି ସ୍ୱପ୍ନ । ଚନ୍ଦ୍ର ଯେ, କେବଳ ଆମ ପୃଥିବୀର ଉପଗ୍ରହ ନୁହେଁ, ଏହା ସହିତ ଆମର ଭାବନାତ୍ମକ ସଂପର୍କ ରହିଛି । ଚନ୍ଦ୍ରପୃଷ୍ଠରେ ମାନବ ପାଦଦେବାଠାରୁ ପୃଥିବୀର ଉପଗ୍ରହ ନେଇ ଚାଲିଛି ଅହରହ ଗବେଷଣା । ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମଣିଷ ବସବାସ କରିପାରିବ କି ନାହିଁ,ସେ ବାବଦରେ ଗବେଷଣା ଜାରି ରହିଛି ।

ବୈଜ୍ଞାନିକମାନେ ଏବେ ଚନ୍ଦ୍ରକୁ ନେଇ ଜାରି କରିଛନ୍ତି ଏକ ଚେତାବନୀ । ରିସର୍ଚ୍ଚ ଅନୁସାରେ ଚନ୍ଦ୍ର ପୃଥିବୀଠାରୁ ଘୁଂଚି ଘୁଂଚି ଯାଉଛି । ଗ୍ରହଠାରୁ ଲଗାତର ଦୂରେଇ ଯିବାରେ ଲାଗିଛି ଉପଗ୍ରହ । ଚନ୍ଦ୍ର ଘୁଂଚି ଘୁଚି ଯାଉଥିବାରୁ ଭବିଷ୍ୟତରେ ପୃଥିବୀ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ପରିଣାମ ସ୍ୱରୂପ ପୃଥିବୀରେ ଦିନ ୨୪ ଘଂଟା ବଦଳରେ ହେବ ୨୫ ଘଂଟା ବୋଲି ନୂଆ ଗବେଷଣାରୁ ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ, ୧ ଦଶମିକ ୪ ବିଲିୟନ ବର୍ଷ ତଳେ ପୃଥିବୀରେ ଗୋଟିଏ ଦିନ ୧୮ ଘଂଟା ଥିଲା । ଚନ୍ଦ୍ର ପୃଥିବୀରୁ ଘୁଂଚି ଘୁଂଚି ଯାଇଥିବା କାରଣରୁ ଦିନ ବି ସେହି ଅନୁପାତରେ ଲମ୍ବା ହୋଇଛି ।

ଆମେରିକାର ୱିସକନସିନ୍ -ମାଡିସନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଟିମ୍ କହିଛି ଯେ, ଚନ୍ଦ୍ର, ପୃଥିବୀଠାରୁ ପ୍ରତିବର୍ଷ ପ୍ରାୟ ୩ ଦଶମିକ ୮ ସେଂଟିମିଟର ହାରରେ ଦୂରେଇ ଯାଉଛି ।
ପୃଥିବୀ ଓ ଚନ୍ଦ୍ର ମଧ୍ୟରେ କାହିଁକି ବଢିଚାଲିଛି ଦୂରତା? ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଗୁରୁତ୍ୱାକର୍ଷଣ ସମ୍ବନ୍ଧିତ କାରଣରୁ ଦୂରତା ବଢିଚାଲିଥିବା ଗବେଷକମାନେ କହିଛନ୍ତି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅନୁସାରେ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯିବା ପ୍ରକ୍ରିୟା ନୂଆ ନୁହେଁ । ଚନ୍ଦ୍ରର ବୟସ ହେଉଛି ଚାରି ଟ୍ରିଲିୟନ ବର୍ଷ । ୧୯୬୯ ମସିହାରେ ନାସାର ଆପୋଲ ମିଶନ ସମୟରେ ଚନ୍ଦ୍ରପୃଷ୍ଠରେ ସ୍ଥାପନ କରାଯାଇଥିଲା ରିଫ୍ଲେକ୍‌ଟିଂ ପ୍ୟାନେଲ । ଏହି ପ୍ୟାନେଲ ମାଧ୍ୟମରେ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ଜାଣିପାରିଥିଲେ ବୈଜ୍ଞାନିକ ।

ବୈଜ୍ଞାନିକ ଗବେଷଣା ଅନୁସାରେ ପ୍ରୟ ୨ ଟ୍ରିଲିୟନ ବର୍ଷ ପୂର୍ବେ ଚନ୍ଦ୍ର ପୃଥିବୀଠାରୁ ୬୦ ହଜାର କିଲୋମିଟର ଦୂରରେ ଥିଲା । କିନ୍ତୁ ସମୟ ସହିତ ବଢିବାରେ ଲାଗିଛି ଏହି ଦୂରତା । ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଯୋଗୁଁ ଦୂରତା ବଢିଛି । ପୂର୍ବରୁ ପୃଥିବୀରେ ଦିନ ୧୭ ବା ୧୮ ଘଂଟା ଥିଲା । ନାସା ଅନୁସାରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ବର୍ତ୍ତମାନର ଦୂରତା ହେଉଛି ୩ ଲକ୍ଷ ୮୪ ହଜାର ୪୦୦ କିଲୋମିଟର ବା ୨ ଲକ୍ଷ ୩୮ ହଜାର ୮୫୫ ମାଇଲ୍ ।

Comments are closed.