Attack Mining Officer:ମୋରମ ମାଫିଆଙ୍କ ଆତଙ୍କରାଜ; ଖଣି ଅଧିକାରୀଙ୍କୁ କଲେ ସଂଘବନ୍ଧ ଆକ୍ରମଣ, ଭାଙ୍ଗିଲେ ଗାଡ଼ିର କାଚ
ବାଲେଶ୍ୱର:ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆ ସଂଘବନ୍ଧ ଆକ୍ରମଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।
ସୂଚନାଥାଉକି, କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯିବା ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ।
ଜୀବନ ଭୟରେ ଘଟଣା ସ୍ଥଳରୁ ପଳେଇ ଆସିଥିଲେ ଖଣି ଅଧିକାରୀ । ହେଲେ ମାଫିଆ ମାନେ ଖଣି ଅଧିକାରୀଙ୍କ ଗାଡି ଖଇରା ଥାନା ପର୍ଯ୍ୟନ୍ତ ଗୋଡ଼ାଇଥିଲେ । ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ। ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।