ଭୁବନେଶ୍ବର: ‘ସର୍ଭେ କରାଯିବ । ୨ ମାସ ଭିତରେ ଓ୍ବାର୍କ ଅର୍ଡର ଦିଆଯିବ । ମୋଟ ୧ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଘର ।’ କିଛି ଏପରି କହି ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନି ବୋଲି ଆଜି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସମସ୍ତ ଯୋଗ୍ୟ ହିତାଧିକାରୀ ଘର ପାଇବେ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀଙ୍କ କହିବାନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ସର୍ଭେ କରାଯାଇ ୨ମାସ ଭିତରେ ୱାର୍କ ଅର୍ଡ଼ର ଦିଆଯିବ । ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନାହିଁ । ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଲୋକ ଘର ପାଇବେ । ପୂର୍ବରୁ ଅନ୍ତୋଦୟ ଗୃହ ଯୋଜନାରେ ୫୯,୦୯୩ ଭିନ୍ନକ୍ଷମ, ଅସହାୟଙ୍କୁ ଘର ମିଳିସାରିଛି । ଆଉ ଏକ ଲକ୍ଷ ହିତାଧିକାରୀଙ୍କ ତାଲିକା ମଗାଯାଇଛି । ସେଗୁଡିକୁ ଆସନ୍ତା ୨ ମାସ ଭିତରେ ସର୍ଭେ କରାଯିବ । ଏହା ପରେ ଓ୍ବାର୍କ ଅର୍ଡର ଦିଆଯିବ । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ ଘର ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏଥିସହିତ ପାନୀୟ ଜଳ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ସମସ୍ୟା ଉପରେ ମଧ୍ୟ କହିଛନ୍ତି ମନ୍ତ୍ରୀ । ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେହି ଅଂଚଳରେ ଲୋକ ବ୍ଲକ ଅଫିସ ଯାଇ ନିଜର ସମସ୍ୟା କହିଲେ ତୁରନ୍ତ ସମାଧାନ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ରବି ନାଏକ ।
Comments are closed.