Latest Odisha News

ଆସାମ ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ସହ ୭୨ ଜଣଙ୍କର ମୃତ୍ୟୁ

ଗୁଆହାଟୀ: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁ଼ଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ କାଜିରଙ୍ଗା ନ୍ୟାସନାଲ ପାର୍କରୁ ୯୯ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୨୮ ଜିଲ୍ଲାର ୨୭.୭୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏଯାବତ୍ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ହେଉଛି ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ । ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି ।

ମୌସୁମି ଛୁଇଁବା ପରେ ପରେ ସାରା ଦେଶରେ ଲାଗି ରହିଛି ବର୍ଷା । ଉତ୍ତର ଭାରତ ସହ ତମାମ ରାଜ୍ୟରେ ଲଗାଣ ବର୍ଷା ହୋଇଛି । ଆସାମରେ ସ୍ଥିତି ଏଭଳି ହୋଇଛି ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିଛି । ଚଳିତ ବର୍ଷର ଏ ହେଉଛି ପ୍ରଥମ ବନ୍ୟା । ବ୍ରହ୍ମପୁତ୍ର ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ନଦୀ ଫୁଲିବାରେ ଲାଗିଛି । ଲଗାତାର ଭାବେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ନଦୀରେ ବନ୍ୟା ଆସିବା ଫଳରେ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ସ୍ଥିତିକୁ ନଜରରେ ରଖି ତଳିଆ ଅଞ୍ଚଳ ଉପରେ ନଜର ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ଅଞ୍ଚଳରେ ପାଣି ପଶିବା ଫଳରେ ଲୋକେ ଘର ଛାଡ଼ିଛନ୍ତି । ବିପଦ ଥିବା ସ୍ଥାନ ଗୁଡ଼ିକୁ ଖାଲି କରିବା ପାଇଁ କୁହାଯାଇଛି । ସେହିଭଳି ପ୍ରଶାସନିକ ସ୍ତରରେ ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ତୟାର ଅଛନ୍ତି ଏନଡିଆରଏଫ୍ ଟିମ । ବ୍ରହ୍ମପୁତ୍ର ନଦୀ ସମେତ ପୁଥିମାରୀ, ପାଗଲଡିଆ, ମାନସ ଆଦି ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ସେନା, NDRF, SDRF ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

Comments are closed.