Latest Odisha News

BREAKING NEWS

ପାକିସ୍ତାନରେ ୪୮ ଘଣ୍ଟା ଭିତରେ ୨୦ରୁ ଅଧିକ ଥର ଭୂକମ୍ପ ଝଟକା

ଇସଲାମବାଦ: ରବିବାର ଠାରୁ ୪୮ ଘଣ୍ଟା ମଧ୍ୟରେ କରାଚିରେ ୨୦ରୁ ଅଧିକ ଥର ଛୋଟ ଛୋଟ ଭୂକମ୍ପ ଝଟକା ଅନୁଭବ ହୋଇ ସାରିଲାଣି । ଏହା ମଧ୍ୟରୁ ଅଧିକାଂଶ ଭୂକମ୍ପର କେନ୍ଦ୍ର ସ୍ଥଳ ମାଲିର ନିକଟରେ ରହିଥିଲା। ଏହିକ୍ରମରେ ସୋମବାର ବିଳମ୍ବିତ ରାତିରେ କ୍ରମାଗତ ଦୁଇଟି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଗୋଟିଏ ଭୂକମ୍ପର ତୀବ୍ରତା ୨.୬ ଓ ଆଉ ଗୋଟିଏର ତୀବ୍ରତା ୨.୮ ରହିଥିଲା ।

ସହରରେ ନିରନ୍ତର ଭୂମିକମ୍ପ ଅନୁଭୂତ ହେଉଥିବାରୁ, ସୋସିଆଲ ମିଡିଆ ଏକ ସମ୍ଭାବ୍ୟ ବଡ଼ ଭୂମିକମ୍ପ ବିଷୟରେ ପୋଷ୍ଟରେ ଭରି ଯାଇଥିଲା । ସେତେବେଳେ ବିତର୍କ ଏକ ଗମ୍ଭୀର ମୋଡ଼ ନେଇଥିଲା ଯେତବେଳେ, ଜଣେ ଘରୋଇ ପାକିସ୍ତାନୀ ଭୂତତ୍ତ୍ୱବିତ୍ କହିଥିଲେ ଯେ ସେ କରାଚୀରେ ଘଟିଥିବା ଭୂମିକମ୍ପ ହେବା ପୂର୍ବରୁ ପୂର୍ବାନୁମାନ କରିଥିଲେ ଏବଂ ଶୁକ୍ରବାର ଏବଂ ଶନିବାର ରାତିରେ ଏକ ବଡ଼ ଭୂମିକମ୍ପ ହେବାର ଥିଲା, ।

ଅନ୍ୟପଟେ ଏହାର ପ୍ରଭାବ ମାଲିର ଜେଲରେ ମଧ୍ୟ ପଡ଼ିଥିଲା । ମାଲିର ଜେଲର କାନ୍ଥର ଆଂଶିକ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ୨୧୬ ଜଣ କଏଦୀ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ସୋଶାଲ ମିଡିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି । ଅନ୍ଧାର ରାତିରେ ମାଲିର ଜେଲ ଭିତରୁ ଗୁଳି ମାଡ଼ର ଶବ୍ଦ ଆସୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି। ଆଉ ଏକ ଭିଡିଓରେ ଜେଲରୁ ୨ ଜଣ କଏଦୀ ଖସି ଯାଉଥିବା ଦେଖା ଯାଉଛି ।

ଜେଲ ସୁପରିନଟେଣ୍ଡେଣ୍ଟ ଶାହଙ୍କ କହିବା କଥା ଯେ ସର୍କଲ ୪ରୁ ୫ରୁ କଏଦୀମାନଙ୍କୁ ଭୂକମ୍ପ ଝଟକା ପରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବାରାକରୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ୬୦୦ରୁ ଅଧିକ କଏଦୀ ସେମାନଙ୍କ ସେଲ ବାହାରେ ଥିଲେ। ଏହାର ସୁଯୋଗ ନେଇ ୨୧୬ ଜଣ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରା ଯାଇଥିବା ବେଳେ ଏବେ ୧୩୫ରୁ ଅଧିକ କଏଦୀ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି।

ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି)ର ମହାନିର୍ଦ୍ଦେଶକ ମେହର ସାହିବଜାଦ ଖାନ ନାଗରିକମାନଙ୍କୁ ଆଶ୍ୱସ୍ତ କରି କହିଛନ୍ତି, “ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ହାଲୁକା ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଜାରି ରହିବ ଏବଂ ଭୂମିକମ୍ପର ତୀବ୍ରତା କମିବା ପରେ ପରିସ୍ଥିତିରେ ଉନ୍ନତି ଆସିବ।”

 

Comments are closed.