Latest Odisha News

ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ବର: ମଧ୍ୟାହ୍ନ ଭୋଜନ ଖାଇବା ପରେ ୭୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ । ଏପରି ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାଜନପୁର ପଞ୍ଚାୟତ ଶିରାପୁର ଗାଁର ଉଦୟନାରାୟଣ ବିଦ୍ୟାପୀଠରେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି ।

ତେବେ ସବୁଦିନ ପରେ ଆଜି ମଧ୍ୟ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ମାନଙ୍କୁ ଭାତ ତରକାରୀ ଦିଆଯାଇଥିଲା । ଏହାକୁ ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ । ଖାଇବା ବେଳେ ଜଣେ ଛାତ୍ର ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କର ଅବସ୍ଥା ସ୍ଥିର ଥିବା ଜଣା ପଡିଛି ।

ଏହି ଅଘଟଣ ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ସ୍କୁଲ ଆଗରେ ହୋହଲ୍ଲା କରିଛନ୍ତି ଅଭିଭାବକ ମାନେ ।

Comments are closed.