Latest Odisha News

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା, ୧୦ ମୃତ ଆଶଙ୍କା

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ବଡ ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଏପରି ଦଳାଚକଟା ପରିସ୍ଥିତି ଉପୁଜିଛି । ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଦଳାଚକଟା ହୋଇଥିବା ନେଇ ସୂଚନା ମିଳିଛି । ତେବେ ସ୍ଥିତି ସଂପର୍କରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ପବିତ୍ର ମୌନୀ ଅମାବାସ୍ୟା । ମୌନୀ ଅମାବାସ୍ୟା ପାଇଁ ସଙ୍ଗମସ୍ଥଳରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଅସମ୍ଭାଳ ଭିଡ ହୋଇଥିବାରୁ ଦଳାଚକଟା ପରି ପରିସ୍ଥିତି ଉପୁଜିଛି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଦଳଚକଟା ପରେ ରଦ୍ଦ ହେଇଛି ଅମୃତ ସ୍ନାନ । ଅମୃତ ସ୍ନାନ ରଦ୍ଦ କରିଛି ଆଖଡ଼ା ପରିଷଦ । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅମୃତ ସ୍ନାନ ରଦ୍ଦ କରିଛି ପରିଷଦ ।

ସୂଚନା ଅନୁସାରେ, ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା। ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥାଆନ୍ତା । ଏଥିପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। କିନ୍ତୁ ଅମୃତ ସ୍ନାନ ପୂର୍ବରୁ ରାତି ପ୍ରାୟ ୧.୩୦ ରେ ଏହି ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ଅନୁସାରେ, ଯେଉଁମାନେ ଆହତ ହୋଇଛନ୍ତି ସେମାନେ ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଯାଇଛନ୍ତି। ହସ୍ପିଟାଲ ବାହାରେ ବ୍ୟାରିକେଡ୍ କରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦୁର୍ଘଟଣାସ୍ଥଳରେ ଏନଏସଜି କମାଣ୍ଡୋମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୁର୍ଘଟଣାସ୍ଥଳକୁ ଖାଲି କରି ସିଲ୍ କରାଯାଇଛି। ସେପଟେ ବର୍ତ୍ତମାନ ପାଇଁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ସ୍ଥଗିତ କରିଛି ପ୍ରଶାସନ ଏବଂ ଆଖଡ଼ା । ଏପରିକି ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛି ପ୍ରଶାସନ । ବର୍ତ୍ତମାନ ପାଇଁ ୪୪ ଟି ଘାଟକୁ ବନ୍ଦ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛି ୟୁପି ପ୍ରଶାସନ ।

Comments are closed.