Latest Odisha News

BREAKING NEWS

ରାଜ୍ୟସ୍ତରୀୟ ‘ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ ଏବଂ ‘ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ’ ପାଳିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇ ତଥା ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର’ର ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦେଶର ଏପରି ଏକ ରାଜ୍ୟ ଯେଉଁ ରାଜ୍ୟରେ ପ୍ରାୟ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ ଏବଂ ଏହି ରାଜ୍ୟର ଅଧିବାସୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ପ୍ରାୟ ପ୍ରତ୍ୟେକ ବର୍ଷ ରାଜ୍ୟରେ କୌଣସି ନା କୌଣସି ବିପର୍ଯ୍ୟୟ ହୋଇଥାଏ । ବାତ୍ୟା, ବନ୍ୟା ଏବଂ ବଜ୍ରପାତରୁ କିଭଳି ରାଜ୍ୟବାସୀ ତଥା ବିଶେଷକରି ଉପାନ୍ତ ଅଞ୍ଚଳର ଜନସାଧାରଣ କିପରି ତୁରନ୍ତ ସତର୍କତା ଅବଲମ୍ବନ କରିପାରିବେ ସେଥିଲାଗି ଏହି ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର’ର ନିର୍ମାଣ ହୋଇଛି । ଓଡ଼ିଶାର ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ସମୟରେ ଅଦ୍ଭୁତଭାବେ କର୍ତ୍ତବ୍ୟ ସମ୍ପାଦନ କରି ଧନ ଜୀବନ ରକ୍ଷା କରିଥିବା ଓଡ୍ରାଫ ଟିମ୍ ଏବଂ ଏନଡ଼ିଆରଏଫ ଟିମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଅକ୍ଟୋବର ୨୯ ତାରିଖ ଆଜିର ଦିନରେ ଭୟାବହ ୧୯୯୯ ମସିହାର ମହାବାତ୍ୟାକୁ ଆଜି ପୁରିଛି ୧୯ ବର୍ଷ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ତଥା ପରିଚାଳନା କରିବାରେ ଅନେକ ସଫଳତା ହାସଲ କରିପାରିଛନ୍ତି ତାହାକୁ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ ୧୯୯୯ ମସିହା ମହାବାତ୍ୟାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାରବର୍ଗ ତଥା ପୀଡ଼ିତ ବ୍ୟକ୍ତିଙ୍କୁ ସମବେଦନା ଜଣାଇଛନ୍ତି ।

ରାଜ୍ୟର ସୁଦୂର ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧକ ଭିତ୍ତିଭୂମିର ବ୍ୟବସ୍ଥା ସୃଷ୍ଟିକରି ଏବଂ ନିଜର ଦୂରଦୃଷ୍ଟି ଓ ଗୁଣାତ୍ମକମାନକରେ ପ୍ରତିବଦ୍ଧତା ଲାଗି ଓଏସଡ଼ିଏମଏ ନିଜର ଉପସ୍ଥିତି ଜାହିର କରିପାରିଛି । ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଉଳଡ୍ରିଲ, ଓଡ୍ରାଫ, ଦଳର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ, ଉଦ୍ଧାର, ରିଲିଫ, ପୁନଃରୁଦ୍ଧାର, ଥଇଥାନ ଏବଂ ପୁନଃନିର୍ମାଣ ଆଦି କାର୍ଯ୍ୟ ନିମନ୍ତେ ଶ୍ରମଶକ୍ତି ଗଠନ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ଏବେ ସୁଦ୍ଧା ୫୭୯ଟି ଆଶ୍ରୟସ୍ଥଳୀ, ଗଞ୍ଜାମ ଓ ଖୋର୍ଦ୍ଧାର ଫାଇଲିନ ୨୦୧୩ରେ ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କ ନିମନ୍ତେ ୧୭,୦୦୦ ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ, କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାଠାରେ ସମୁଦ୍ର ଦ୍ୱାରା କ୍ଷତିଗ୍ରସ୍ତ ବଗପାଟିଆରେ ଥଇଥାନ ଏବଂ ପୁନର୍ବସତିସ୍ଥଳରେ ୫୭୧ଟି ଗୃହ ନିର୍ମାଣ, ୫ଟି ଗୋଦାମ ଗୃହ ନିର୍ମାଣ, ୨୪୩ଟି ଆଶ୍ରୟସ୍ଥଳୀକୁ ସଂଯୋଗ କରୁଥିବା ୩୯୦କିମି ରାସ୍ତା, ୫୮କିମି ଦୈର୍ଘ୍ୟର ୧୨ଟି ଲୁଣାବନ୍ଧ ଓ ଆଶ୍ରୟସ୍ଥଳୀ ନିମନ୍ତେ ଆବଶ୍ୟକୀୟ ଉପକରଣର ବ୍ୟବସ୍ଥା ଏବଂ ଆଶ୍ରୟସ୍ଥଳୀଗୁଡ଼ିକରେ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତାବୃଦ୍ଧି ନିମନ୍ତେ ନିୟମିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର ବାଲକ୍ରିଷ୍ଣନ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ରିଲିଫ କମିଶନର ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ ଅତିଥିଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.