ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ । ଓଡ଼ିଆ ଯବାନ ସରୋଜ ଦାସ ମଧ୍ୟ ଭାସି ଯାଇଥିଲେ। ତାଙ୍କ ମର ଶରୀରକୁ ଉଦ୍ଧାର କରାଯାଇ ଥିବାବେଳେ ଭୁବନେଶ୍ବରରେ ପାର୍ଥିବ ଶରୀର ପହଞ୍ଚିଛି ।

ବିମାନବନ୍ଦରରେ ପହଞ୍ଚିବା ପରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଗାର୍ଡ ଅଫ୍ ଅନର ଦିଆଯାଇଥିବାବେଳେ ସେଠାରେ ଉପସ୍ଥିତ ଥିଲେ ତାଙ୍କ ବଡ଼ ଭାଇ । ସହିଦ ସରୋଜଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ । ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦର ପରିସରରୁ ପୈତୃକ ଗାଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁ ଅଭିମୁଖେ ବାହାରିଛି ପାର୍ଥିବ ଶରୀର । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସରୋଜଙ୍କୁ ମିଶାଇ ମୋଟ ୨୩ଜଣ ଯବାନ ସେନା ଗାଡିରେ ବସିଥିବା ବେଳେ ଭାସିଯାଇଥିଲେ । ଦୁଇ ଦିନ ପରେ ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ । ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା ମାତ୍ର କୌଣସି କାରଣ ବଶତଃ ଆସିପାରି ନଥିଲା। ତେଣୁ ଆଜି ଜନ୍ମମାଟିକୁ ଆସିଥିଲା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ।

Comments are closed.