ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ତାଙ୍କ କର୍ମଭୂମିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଦିଗପହଣ୍ଡି ସ୍ଥିତ ମଶାଣୀରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେବାପୂର୍ବରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିତ ଶେଷ ସମ୍ମାନ ଦିଆ ଯାଇଥିଲା।
ଗତକାଲି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ସମ ଅଲଟିମେଟମ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କୁ ଆଇଆରସି ଭିଲେଜ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ଆଜି ସକାଳେ ବାସଭବନରେ ଶେଷ ଦର୍ଶନ କରାଯିବାପରେ ବିଜେଡି କାର୍ଯ୍ୟାଳୟକୁ ଆସିଥିଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର । ଶଙ୍ଖ ଭବନରେ ନେତା, ମନ୍ତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପରେ ବିଧାନସଭା ପରିସରକୁ ମରଶରୀରକୁ ନିଆଯାଇଥିଲା । ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଭିନ୍ନ ଦଳର ବିଧାୟକ, ବିଧାନସଭା କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଦେଇଥିଲେ । ଶୋକାକୂଳ ପରିବେଶରେ ସମସ୍ତେ ସୂର୍ଯ୍ୟପାତ୍ରଙ୍କୁ ବିଧାନସଭା ପରିସରରୁ ବିଦାୟ ଦେଇଥିଲେ । ପରେ ଶେଷକୃତ୍ୟ ପାଇଁ ପାର୍ଥିବ ଶରୀରକୁ ଜନ୍ମମାଟି ଦିଗପହଣ୍ଡିକୁ ଅଣାଯାଇଥିଲା ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରେ ରାଜନୀତିରେ ପ୍ରବେଶ କରିଥିଲେ ସୂର୍ଯ୍ୟ ପାତ୍ର । ପରେ ଜଣେ ବରିଷ୍ଠ ନେତା ଭାବେ ସାରା ଓଡ଼ିଶାରେ ପରିଚିତ ହୋଇଥିଲେ । ନିଜର ବଳିଷ୍ଠ ନେତୃତ୍ୱ ଓ ଦକ୍ଷ ଶାସନ ନୀତି ଯୋଗୁଁ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ସୂର୍ଯ୍ୟ ପାତ୍ର । ବିଜୁ ବାବୁଙ୍କର ଥିଲେ ଅତ୍ୟନ୍ତ ଘନିଷ୍ଠ । କେବଳ ବାଚସ୍ପତି ନୁହେଁ , ଭିନ୍ନ ଭିନ୍ନ ବିଭାଗର ମନ୍ତ୍ରୀ ଓ ୪ ଥର ମୋହନା ଓ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ରେ ଥିଲା ସୂର୍ଯ୍ୟଙ୍କ ସ୍ଵତନ୍ତ୍ର ଦବ ଦବା । ବିଧାନସଭା ରେ କାର୍ଯ୍ୟ କରୁଥିବା ସମୟରେ ଗୃହରେ କୌଣସି ବାଧା ଉପୁଜିଥିଲେ, ସ୍ଵତନ୍ତ୍ର ବୈଠକ ଡକାଇ ସମାଧାନ କରୁଥିଲେ ।ଯେଉଁ ସମୟରେ ସେ ଯେଉଁ ବି ଦାୟିତ୍ଵ ତୁଲାଇଛନ୍ତି , ସେ ସବୁକୁ ନିଖୁଣ ଭାବେ ତୁଲାଇ ପାରିଛନ୍ତି ।
କେବଳ ଜଣେ ରାଜନେତା ନୁହେଁ ବରଂ ଜଣେ ଭଲ ମଣିଷ ଭାବେ ସାରା ରାଜ୍ୟ ଜାଣିଥିଲା ସୂର୍ଯ୍ୟଙ୍କୁ । ନିଜର ମେଳାପି ଗୁଣ ଯୋଗୁଁ କେବଳ ଶାସକ ଦଳ ନୁହେଁ, ବରଂ ବିରୋଧୀ ଦଳର ନେତା ମାନଙ୍କ ର ମଧ୍ୟ ଆଦର୍ଶ ସାଜି ପାରିଥିଲେ । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ । ଅସୁସ୍ଥତା ସତ୍ତ୍ୱେ ମଧ୍ୟ ନିଜର ଦୃଢ଼ ମନୋଭାବ ଦେଖାଇ ସେ ବନ୍ଧୁ ମାନଙ୍କ ସହ ବେଶ ସକ୍ରିୟ ଥିଲେ । ଶେଷରେ ଅନେକ ଦିନର ଲଢେଇ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
Comments are closed.