ଅନୁଗୁଳ:ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମାଆ ସହିତ ୮ବର୍ଷ ଝିଅକୁ ଦଳିଦେଲା ହାତୀ ,ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବନ୍ତଳା ଥାନା ଅନ୍ତର୍ଗତ ଅନୁଗୋଳ ବନଖଣ୍ଡ ମଧୁପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ପଙ୍କଜିନୀ ଓ ୮ ବର୍ଷର ଝିଅ କୁଶ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛି।
ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କ ସୂଚନା ଅନୁସାରେ, ଗତକାଲି (ଗୁରୁବାର) ରାତିରେ ବାପା, ମାଆ ଓ ଝିଅ ପୋକତୁଙ୍ଗା ଭୋକିଲାପାଳରୁ ବନ୍ତଳା ବନାଞ୍ଚଳର ମଧୁପୁର ଗାଁକୁ ଦଣ୍ଡ ନାଚ ଦେଖିବା ପାଇଁ ଯାଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳକୁ ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମଧୁପୁର ନିକଟସ୍ଥ ଏକ ଆମ୍ବ ବଗିଚା ପାଖରେ ପହଞ୍ଚିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରୁ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମାଆ ଓ ଝିଅଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବନ୍ତଳା ରେଞ୍ଜର ଆହୁରି ମଧ୍ୟ କହିଛନ୍ତି ,”ସେମାନେ ଯେଉଁ ରାସ୍ତାରେ ଯାଉଥିଲେ ସେ ରାସ୍ତାରେ ହାତୀ ଥିବା ନେଇ ପୂର୍ବରୁ ସୂଚନା ଦିଆଯାଇଛି । କିନ୍ତୁ ସେମାନେ ତାହା ନ ମାନି ସେହି ରାସ୍ତାରେ ଯାଇଥିଲେ । ବିଭାଗ ପକ୍ଷରୁ ଯାହା କ୍ଷତିପୂରଣ ଦିଆ ଯିବାର ନିୟମ ରହିଛି ତାହା ଦିଆଯିବ ।”
ସନ୍ଧ୍ୟା ପରେ ଜଙ୍ଗଲ ପଥକୁ ନଯିବା ପାଇଁ ବନ ବିଭାଗ ଅଧିକାରୀମାନେ ବାରଣ କରିଛନ୍ତି ।