Latest Odisha News

BREAKING NEWS

ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…

ଭୁବନେଶ୍ୱର:ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକ ଶିଶୁ ବିକାଶ (ECD) କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବା।

ଏହି ବୁଝାମଣା ପତ୍ର ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ. ସିଂହ; ମେଘାଳୟ ସରକାରଙ୍କ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଏବଂ ଯୋଜନା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଉନ୍ନୟନ କମିଶନର ଡକ୍ଟର ସମ୍ପଥ କୁମାର; ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ବିଭାଗୀୟ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାରେ ମେଘାଳୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଡକ୍ଟର ସମ୍ପଥ କୁମାର ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଅନନ୍ତ ନାରାୟଣ ସିଂ ଲାଗୁରୀ ସ୍ୱାକ୍ଷର କରିଛନ୍ତି।

ଏହି ବୁଝାମଣା ପତ୍ର ଶିଶୁ ମାନଙ୍କର ପୁଷ୍ଟିସାଧନ, ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ଉତ୍ତରଦାୟୀ ଯତ୍ନ ଏବଂ ଗୋଷ୍ଠୀ ସହଭାଗିତା ଭଳି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ। ଏହା ଜ୍ଞାନ ଆଦାନ–ପ୍ରଦାନ, ଗବେଷଣା, ଅଧ୍ୟୟନ, ଭ୍ରମଣ, ସର୍ବୋତ୍ତମ ପ୍ରଚଳନାର ଲେଖାଗତ ଡକ୍ୟୁମେଣ୍ଟେସନ ଓ ବିଭିନ୍ନ ସ୍ତରର କର୍ମଚାରୀମାନଙ୍କ କ୍ଷମତା ବୃଦ୍ଧି ପାଇଁ ଏକ ରୂପରେଖ ପ୍ରଦାନ କରିବ।
ଏହି ଅବସରରେ ପଦାଧିକାରୀମାନେ ଶିଶୁ ମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏଥିସହ ଆଗାମୀ ଦିନରେ ଏହି ବୁଝାମଣା ପତ୍ର ବ୍ୟବହାରିକ ଶିକ୍ଷା ଓ ତୃଣମୂଳ ସ୍ତରରେ ପ୍ରଭାବ ସୃଷ୍ଟି କରିବା ସହ ଦୁଇ ରାଜ୍ୟର ଶିଶୁ, ସେବାଦାତା ଓ କର୍ମୀମାନଙ୍କୁ ଲାଭାନ୍ୱିତ କରିବ ବୋଲି ଆଶା କରାଯାଉଛି।

Comments are closed.