ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ଡରାଇଲାଣି । ଯାହା ଇତିହାସରେ କେବେ ଘଟିନଥିଲା ତାହା ଏବେ ଅନୁଭୂତ ହେବା ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି । ଏହି ପରିବର୍ତ୍ତନ ଧାରାରେ ଜାପାନର ଫୁଜି ପର୍ବତ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ସେଠିକା ବାସିନ୍ଦାକୁ ମିଳିଛି ଆଶ୍ବସ୍ତି । ଗତ ୧୩୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଫୁଜି ପର୍ବତକୁ ବରଫର ଚାଦର ଢାଙ୍କିନଥିଲା । ଯେଉଁଠି ଅକ୍ଟୋବର ଆରମ୍ଭ ହେଲେ ପର୍ବତର ଶୃଙ୍ଗ ଧଳା ବାଦଲ ଭିତରେ ମିଶି ଯାଇଥିଲା । ସେଠି ଅକ୍ଟୋବର ଯାଇ ନଭେମ୍ବର ଆରମ୍ଭ ହୋଇଥିଲା ମଧ୍ୟ ବରଫର ଛିଟା ବି ଦେଖିବାକୁ ମିଳିନଥିଲା । ଏହା ଚିନ୍ତାର କାରଣ ପାଲଟିଥିବା ବେଳେ ପାଖାପାଖି ଏକ ମାସର ବିଳମ୍ବରେ ନଭେମ୍ବର ୬ରେ ସେଠାରେ ବରଫ ବର୍ଷା ହୋଇଛି । ଯାହା ଏବେ ଆଶ୍ବସ୍ତି ଆଣିଛି ।
ତେବେ ଜାପାନ ଦେଶର ଫୁଜି ପର୍ବତ ଏକ ନିଷ୍କ୍ରିୟ ଜ୍ବାଳାମୁଖୀ । ୧୮୯୪ ମସିହାରୁ ମୁଣ୍ଡ ଟେକିଥିବା ଫୁଜି ପାହାଡ ପ୍ରଥମ ଥର ପାଇଁ ଏ ବର୍ଷ ବିନା ବରଫରେ ରହିଥିଲା । ସାଧାରଣରେ ଅକ୍ଟୋବର ଆରମ୍ଭରୁ ମଝି ପର୍ଯ୍ୟନ୍ତ ଫୁଜିର ଆଖପାଖରେ ବରଫ ବର୍ଷା ହୋଇଥାଏ । ଯେଉଁ କାରଣରୁ ଏହି ସମୟରେ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଏଥର ଅକ୍ଟୋବର ସରି ନଭେମ୍ବର ଆରମ୍ଭ ହୋଇଥିଲେ ମଧ୍ୟ ବରଫ ଦେଖିବାକୁ ମିଳିନଥିଲା । ଫଳରେ ନିରାଶ ହୋଇ ଫେରିଥିଲେ ପର୍ଯ୍ୟଟକ । ହେଲେ ମାସେ ବିଳମ୍ବରେ ନଭେମ୍ବର ୬ ଆଡକୁ ଫୁଜିର ଶୃଙ୍ଗ ଉପରେ ବରଫ ବର୍ଷା ଦେଖିବାକୁ ମିଳିଲା ।
୬ ନଭେମ୍ବର ଆଡକୁ ଜାପାନ ପାଣିପାଗ ବିଭାଗ ଫୁଜିରେ ବରଫ ବର୍ଷା ଦୃଶ୍ୟମାନ ହେବାର ସୂଚନା ଦେଇଥିଲା । ତେବେ ଜାପାନରେ ଜୁନ୍ ରୁ ଅଗଷ୍ଟମାସ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ତାପମାତ୍ରା ରେକର୍ଡ କରାଯାଇଛି । ସେହି ସମୟରେ ଜାପାନରେ ସବୁଠୁ ଅଧିକ ଗରମ ଅନୁଭୂତ ହେଉଥିଲା । ଆବଶ୍ୟକ ଠାରୁ ପ୍ରାୟେ ୧.୭୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ତାପମାତ୍ରା । ଏହା ପୂର୍ବରୁ ୨୦୦୩ରେ ସବୁଠୁ ଅଧିକ ଗରମ ରେକର୍ଡ ହୋଇଥିଲା ବେଳେ ଏଥର ସେପ୍ଟେମ୍ବର ଜାପାନରେ ଗରମ ସାମାନ୍ୟଠାରୁ ଟିକେ ଅଧିକ ରହିଥିଲା । ଯାହା ଅକ୍ଟୋବରରେ ମଦ୍ୟ ଜାରି ରହିଥିଲା । ଯେଉଁ କାରଣରୁ ଫୁଜି ବରଫ ଗାୟବ ଦେଖିବାକୁ ମିଳିଥିଲା ।
Comments are closed.