କଟକ: ପାରିବାରିକ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସେପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅନୁଭବ ଦାଖଲ କରିଥିବା ସତ୍ୟପାଠରେ ସେ ବର୍ଷାଙ୍କ ସହିତ ବିବାଦର କାରଣ, ବର୍ଷା ସତରେ ପାରିବାରିକ ହିଂସାର ଶିକାର ହୋଇଛନ୍ତି କି ନାହିଁ ଏସବୁ ବିଷୟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ପୂର୍ବରୁ ଏସଡିଜେଏମ୍ କୋର୍ଟ ପକ୍ଷରୁ ଏକ ଟିମ୍ ବର୍ଷାଙ୍କ ପାଖକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ଏ ନେଇ ଅନୁଭବ କହିଛନ୍ତି ଯେ, ସେ ଆଜି ଯେଉଁ ସବୁ ତଥ୍ୟ ଏସଡିଜେଏମ୍ କୋର୍ଟରେ ଦାଖଲ କରିଛନ୍ତି ସେସବୁ ସତ୍ୟ। ତେଣୁ କୋର୍ଟ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି।
ସାଂସଦ ଅନୁଭବ ଓ ତାଙ୍କ ପରିବାର ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜେଏମ୍ କୋର୍ଟରେ ମାମଲା ରୁଜୁ କରିଥିଲେ। ଏଥିସହ କଟକର ପାରିବାରିକ କୋର୍ଟରେ ମଧ୍ୟ ଆଉ ଏକ ପିଟିସନ୍ ଦାଖଲ କରିଥିଲେ। ଅନ୍ୟପଟେ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି।
Comments are closed.