Latest Odisha News

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ ଇସ୍ତଫା ଦେଇଥିବା ନେଇ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ମମତା ।

୨୦୨୪ ନିର୍ବାଚନରେ ଲୋକସଭାରେ ଝଟକା ପାଇବା ପରେ ଏବେ ବିଜେଡିକୁ ରାଜ୍ୟସଭାରେ ବି ଝଟକା ମିଳିଛି । ରାଜ୍ୟସଭା ସାଂସଦ ପଦରୁ ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୮କୁ ଖସିଛି । କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହନ୍ତ । ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି।

ସେପଟେ ବିଜେଡିରୁ ଇସ୍ତଫା ଦେବା ପରେ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇ ମମତା କହିଛନ୍ତି ଯେ,”ମୁଁ ଆଜି ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇଛି। ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟ ସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟ ସଭା ସଭ୍ୟ ପଦରୁ ଇସ୍ତଫା ଦେଲି।”

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜର ଆଦିବାସୀ ନେତ୍ରୀ ମମତା ମହନ୍ତଙ୍କୁ ବିଜେଡି ଗତ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୨୬ ମସିହା ପର୍ଯ୍ୟନ୍ତ ରହିଛି। ତେବେ କାର୍ଯ୍ୟକାଳ ସରିବାର ୨୧ ମାସ ପୂର୍ବରୁ ସେ ପଦରୁ ଇସ୍ତଫା ଦେଇଛନ୍ତି ।

Comments are closed.