Latest Odisha News

BREAKING NEWS

ବଢିଲା ସାଂସଦଙ୍କ ଦରମା, ଭତ୍ତା

ନୂଆଦିଲ୍ଲୀ: ବଢିଲା ସାଂସଦଙ୍କ ଦରମା ସାଙ୍ଗକୁ ଭତ୍ତା । ସାଂସଦଙ୍କ ଦରମା ୨୪ ପ୍ରତିଶତ ବୃଦ୍ଧି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଥିବା ବେଳେ ଏହା ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଏନେଇ ସଂସଦ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉଁଥିରେ ସାଂସଦମାନଙ୍କର ମାସିକ ଦରମା ପୂର୍ବରୁ ପ୍ରତି ମାସରେ ଲକ୍ଷେ ଟଙ୍କା ଥିବା ବେଳେ ଏବେ ଏହାକୁ ୧ ଲକ୍ଷ ୨୪ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ଦୈନିକ ଭତ୍ତା ପୂର୍ବରୁ ୨୦୦୦ ଥିବା ବେଳେ ତାକୁ ବର୍ତ୍ତମାନ ୨୫୦୦ କରାଯାଇଛି । ପୂର୍ବତନ ସାଂସଦମାନଙ୍କ ପେନସନ୍ ୨୫ ହଜାରରୁ ୩୧ ହଜାରକୁ ବୃଦ୍ଧି କରାଯାଇଛି । ଏଥିସହିତ ପାଞ୍ଚ ବର୍ଷରୁ ଅଧିକ ସେବା ଦେଇଥିବା ସାଂସଦ ପ୍ରତ୍ୟେକ ବର୍ଷ ନିମନ୍ତେ ଅତିରିକ୍ତ ପେନସନ୍ ପାଇଁ ପ୍ରମତିମାସରେ ୨୦୦୦ ପାଉଥିବା ବେଳେ ଏଣିକି ୨୫୦୦ ପାଇବେ ।

ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଦିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସଂସଦୀୟ ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ୍ ଅଧିନିୟମ ଅନୁଯାୟୀ ସରକାର ଏହି ବୃଦ୍ଧିକୁ କରିଛନ୍ତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦମାନଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ନାହିଁ ।

ଏଥିସହିତ ସାଂସଦମାନେ ଦରମା ବ୍ୟତୀତ ଅନେକ ସୁବିଧାସୁଯୋଗ ମଧ୍ୟ ପାଇଥାନ୍ତି । ଯେଉଁଥିରେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ । ଏଥିରେ ପତ୍ନୀଙ୍କ ପାଇଁ ଅନେକ ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ୍ ଯାତ୍ରା ଏବଂ ସଂସଦ ଅଧିବେଶନରେ ବାର୍ଷିକ ଘରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଠଟି ବିମାନ ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ । ଜଣେ ସାଂସଦଙ୍କୁ ୫୦ ହଜାର ୟୁନିଟ୍ ମାଗଣା ବିଦ୍ୟୁତ୍, ୧ ଲକ୍ଷ ୭୦ ହଜାର ମାଗଣା କଲ୍, ୪୦ ଲକ୍ଷ ଲିଟର ପାଣି ଏବଂ ଏକ ସରକାରୀ ବଙ୍ଗଳା ମିଳିଥାଏ ।

Comments are closed.