Latest Odisha News

ଓଡିଶା ପୋଲିସକୁ ସାହାଯ୍ୟ କରିବ ମୁଧୋଲ ହାଉଣ୍ଡ

ଭୁବନେଶ୍ବର: ଓଡିଶା ପୋଲିସ କାମକୁ ଆହୁରି ସହଜ କରିବ ମୁଧୋଲ ହାଉଣ୍ଡ । ରାଜ୍ୟରେ ପୋଲିସ ପ୍ରଶାସନର କ୍ଷମତା ବଢାଇବା ପାଇଁ ସାମିଲ ହୋଇଛି ଓଡ଼ିଶା ପୋଲିସ କେ-୯ ଡଗ୍ ସ୍କ୍ବାର୍ଡରେ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡ । ଯାହାକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଛି । ମୁଧୋଲ ହାଉଣ୍ଡ ସହରାଞ୍ଚଳ, ଜଙ୍ଗଲ ଏବଂ ବିପର୍ଯ୍ୟୟ ସ୍ଥାନ ସମେତ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିପାରିବ ।

ତେବେ କହିରଖୁଛୁ, ମୁଧୋଲ ହାଉଣ୍ଡ ତୀବ୍ର ଗତିରେ ଦୌଡିବା ସହିତ ବିଚକ୍ଷଣ ବୁଦ୍ଧି, ଧୈର୍ଯ୍ୟ ଏବଂ କ୍ଷମତାର ଅଧିକାରୀ ।  ଚ୍ୟାଲେଞ୍ଜିଂ ପରିବେଶରେ ଜୀବନ୍ତ ଏବଂ ମୃତ ବ୍ୟକ୍ତିଙ୍କୁ ଖୋଜିବାରେ ଏହାର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଏହି ପ୍ରଜାତିର କୁକୁର ଶରୀରର ଗନ୍ଧ ମଧ୍ୟରେ ପାର୍ଥକ୍ୟ ଜାଣି ଏହା ମୃତ କିମ୍ବା ଜୀବନ୍ତ ଶରୀରକୁ ଖୋଜିପାରିବ ।  ଏଥିସହିତ ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ଚତୁରତାର ସହ ଖୋଜି ପାରିବ । ଏହାର ଦୃଷ୍ଟି ଶକ୍ତି ତୀକ୍ଷ୍ଣ ଓ ଘ୍ରାଣ ଶକ୍ତି ମଧ୍ୟ ଅଧିକ ପ୍ରଭାବଶାଳୀ । ଏହାର ପ୍ରକୃତି ମଧ୍ୟ ବିଶ୍ବସ୍ତ, ପ୍ରତିରକ୍ଷା ପରାୟଣ ଓ ସାହାସୀ କୁକୁରଟେ । ଖାଲି ସେତିକି ନୁହେଁ ଏହା ପ୍ରଜାତିର କୁକୁରମାନେ କ୍ଲାନ୍ତ ନହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିଶ୍ରମ କରିବାରେ ସକ୍ଷମ ହୋଇଥାନ୍ତି ।

Comments are closed.