Latest Odisha News

ପରଲୋକରେ ଓଡ଼ିଆ ଗଜଲ-ସାହିତ୍ୟର ଜଣେ ଅନୁପମ ସ୍ରଷ୍ଟା ଓ ଗବେଷକ ମହମ୍ମଦ ଆୟୁବ

କଟକ: ପରଲୋକରେ ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ । ଫେବ୍ରୁଆରି ୨୭ ତାରିଖ ଗୁରୁବାର ଦିନ କଟକ ଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ । ଏହା ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି ଉପାଧି ଲାଭ କରିଥିଲେ ।ସେ କଟକ ମହାନଗର ନିଗମର ଜଣେ କର୍ପୋରେଟର ଭାବରେ କାର୍ଯ୍ୟ କରିଛନ୍ତି ।

ସେ ଓଡ଼ିଆ ଭାଷାରେ ବହୁ କବିତା, ପ୍ରବନ୍ଧ, ଗଳ୍ପ ଓ ଗଜଲ୍ ରଚନା କରିଯାଇଛନ୍ତି । ତାଙ୍କ ଦ୍ବାରା ପ୍ରଣୀତ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସାରସ୍ବତ ସାଧକ’ ନାମକ ଗ୍ରନ୍ଥଟି ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ ।

ତାଙ୍କର ଅନ୍ୟାନ୍ୟ ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ‘ସ୍ମୃତି ଲହରୀ’, ‘ଓଡ଼ିଆ ଗଜଲ୍‌ ର ସଂକ୍ଷିପ୍ତ ଇତିହାସ’, ଓ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସୃଷ୍ଟି ଆଲୋଚନା’ ଆଦି ଅନ୍ତର୍ଭୁକ୍ତ । ତାଙ୍କ ମହାପ୍ରୟାଣର କିଛି ଦିନ ପୂର୍ବରୁ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବାକୁ ଥିବା ଡ. ପ୍ରତୀଚୀ ନନ୍ଦଙ୍କ ଦ୍ବାରା ଲିଖିତ ‘ଇସଲାମ ଧର୍ମାବଲମ୍ବୀ ସ୍ରଷ୍ଟାଙ୍କ କଲମରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧରେ ନିଜର ସାହିତ୍ୟକୃତି ବିଷୟରେ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାରେ ମହମ୍ମଦ ଆୟୁବ କାବୁଲି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Comments are closed.