Latest Odisha News

ସୈଫ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ, ସନ୍ଦେହ ବଢ଼ାଉଛି ସାମ୍ପଲ୍

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ । ମେଳ ଖାଉନି ଆଙ୍ଗୁଠି ଚିହ୍ନ । କ୍ରାଇମ ସିନ୍‌ରୁ ତଦନ୍ତକାରୀ ଟିମ୍ ସଂଗ୍ରହ କରିଥିବା ସାମ୍ପଲ୍ ସହ ଅଭିଯୁକ୍ତ ସରିଫୁଲ୍ ଇସଲାମ୍ ଶେହଜାଦର କୌଣସି ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉ ନଥିବା ଜଣାପଡ଼ିଛି । ତଦନ୍ତକାରୀ ଟିମ୍ ୧୯ଟି ସାମ୍ପଲ୍ ସଂଗ୍ରହ କରିଥିଲା । ଅଭିଯୁକ୍ତ ସରିଫୁଲ ହାତର ୧୦ ଆଙ୍ଗୁଠିର ଫିଙ୍ଗର୍ ପ୍ରିଣ୍ଟ ମଧ୍ୟ ନିଆ ଯାଇଥିଲା । କିନ୍ତୁ ଫୋରେନସିକ୍ ଲାବୋରେଟୋରିରେ ପରୀକ୍ଷା ପରେ ସାମ୍ପଲ୍ ସହ ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉ ନଥିବା ଜଣା ପଡ଼ିଛି । କୌଣସି ଗୋଟେ ଫିଙ୍ଗର ପ୍ରିଣ୍ଟ, କୌଣସି ଗୋଟେ ସାମ୍ପଲ୍ ସହ ମେଳ ଖାଉନି । ମହାରାଷ୍ଟ୍ର ସିଆଇଡି ଏନେଇ ନେଗେଟିଭ୍ ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଆଉ ଏଭଳି ସ୍ଥିତିରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଠିକ ଲୋକକୁ ଧରିଛି ତ ପୋଲିସ !

୧୬ ତାରିଖ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ପରେ ଦୁଇ ଜଣଙ୍କୁ ସନ୍ଦେହରେ ଧରିଥଲା ପୋଲିସ । ପଚରା ଉଚରା ପରେ ସେମାନଙ୍କ ସଂପୃକ୍ତି ନେଇ କୌଣସି ଟେର୍ ନମିଳିବାରୁ ସେମାନଙ୍କୁ ଛାଡ଼ିଦେଇଛି । ୭୨ ଘଣ୍ଟା ପରେ, ଅର୍ଥାତ ୧୯ ତାରିଖରେ ଠାଣେର ଏକ ଲେବର କ୍ୟାମ୍ପରୁ ସରିଫୁଲ୍ ଇସଲାମ୍ ଶେହଜାଦକୁ ଧରିଛି । ଧରିବା ପରେ ଆକ୍ରମଣରେ ତାର ସଂପୃକ୍ତି ନେଇ ଗଣମାଧ୍ୟମକୁ ସୂଚନା ଦେଇସାରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଚୋରି ଉଦ୍ଦେଶ୍ୟରେ ସରିଫୁଲ୍ ସୈଫଙ୍କ ଘରେ ପଶିଥିଲା ଏବଂ ସେଥିରେ ବିଫଳ ହେବାରୁ ଏଭଳି ଆକ୍ରମଣ କରିଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସାରିଛି ପୋଲିସ । କିନ୍ତୁ ଏବେ ଫୋରେନସିକ୍ ରିପୋର୍ଟ ଆସିଲାଣି ଭିନ୍ନ କିଛି । ସୈଫଙ୍କ ଘରୁ ସଂଗୃହୀତ ସାମ୍ପଲ୍ ସହ ସରିଫୁଲର ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନଥିବା ଜଣାପଡ଼ିଛି ।

କେବଳ ସାମ୍ପଲ୍ ଓ ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ ମେଳ ନଖାଇବା ଘଟଣାରରେ ଏକ ମାତ୍ର ଦ୍ବନ୍ଦ୍ବ ସୃଷ୍ଟି କରିନାହିଁ । ବରଂ ସୈଫ ଏବଂ ତାଙ୍କ ସ୍ତ୍ରୀ କରୀନାଙ୍କ ବୟାନରେ ତାଳମେଳ ରହୁ ନଥିବା ଜଣାପଡ଼ିଛି । ୧୬ ତାରିଖ ରାତିରେ… ଯେଉଁ ରାତିରେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲା, ସେହିଦିନ ଏକାଦଶ ମହଲାରେ ବେଡରୁମରେ ଥିଲେ ସୈଫ ଓ କରୀନା । ଦୁର୍ବୃତ୍ତ ଯେଉଁ ଘରେ ପ୍ରଥମେ ପ୍ରବେଶ କରିଥିଲା ସେଠାରେ ସେମାନଙ୍କ ପୁଅ ତାଇମୁର୍ ଥିଲା । ତାଇମୁର୍ ଦାୟିତ୍ବରେ ଥିବା ନର୍ସ ଏଲିୟାମା ଫିଲିଫ୍ ହିଁ ପ୍ରଥମେ ଦୁର୍ବୃତ୍ତ ସହ ମୁହାଁମୁହିଁ ହୋଇଥିଲେ । ଆଉ ସେମାନଙ୍କ ପାଟି ଶୁଣି ଧାଇଁ ଆସିଥିଲେ ସୈଫ । ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ଦୁର୍ବୃତ୍ତ ତାଙ୍କୁ ୬ ଥର ଛୁରା ମାଡ଼ କରିଥିଲେ ମଧ୍ୟ ସେ ତାକୁ ଏକ ରୁମରେ ଭର୍ତ୍ତି କରି ବାହାରୁ ତାଲା ଠୁଙ୍କି ଦେଇଥିଲେ । କିନ୍ତୁ ଏସି ଡକ୍ଟ ଦେଇ ସେ ଖସି ଯାଇଥିବା କୁହାଯାଉଛି । ଯାହା ଆଉ ଏକ ସନ୍ଦେହ ବା ଦ୍ବନ୍ଦ୍ବ ସୃଷ୍ଟି କରୁଛି । ଖାଲି ସେତିକି ନୁହେଁ, ତଦନ୍ତକାରୀ ଟିମ୍‌କୁ ସୈଫ କାଳେ କହିଛନ୍ତି ସେ ଓ କରୀନା ଏକାଦଶ ଫ୍ଲୋରରେ ଥିଲେ । କିନ୍ତୁ କରୀନା କାଳେ କହିଛନ୍ତି ସେ ଦ୍ବାଦଶ ଫ୍ଲୋରରେ ଥିଲେ । ପାଟି ଶୁଣି ତଳକୁ ଆସି ଦେଖନ୍ତି ତ, ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଚାଲିଛି ହାତାହାତି । ଏକାଦଶ ଓ ଦ୍ବାଦଶ ବୟାନ ଦ୍ବନ୍ଦ୍ବ ଦୂର କରିବାକୁ ସୈଫ ଓ କରୀନାଙ୍କୁ ଏକାଠି ବସାଇ ପଚାର ଉଚରା କରିବାକୁ ଚିନ୍ତା କରୁଛନ୍ତି ତଦନ୍ତକାରୀ ଟିମ୍ ।

Comments are closed.