ନୂଆଦିଲ୍ଲୀ : ହମାସ କବଳରୁ ମୁକ୍ତ ହେଲେ ୪ ମହିଳା ଇସ୍ରାଏଲ ସୈନିକ । ଯାହାଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଏହି ମହିଳା ସୈନିକଙ୍କୁ ପ୍ରାୟ ୧୫ ମାସ ଧରି ପଣବନ୍ଦୀ କରି ରଖିଥିଲା ହମାସ। ଏବେ ଇସ୍ରାଏଲ ସହ ଜାରି ରହିଥିବା ଅସ୍ତ୍ରବିରତି ମଧ୍ୟରେ, ପୁଣି ୪ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଯାହାକୁ ନେଇ ଇସ୍ରାଏଲରେ ଖେଳିଯାଇଛି ଖୁସିର ଲହରି। ତେବେ ଏହି ମୁକ୍ତି ସମୟରେ ହମାସ ଯେଉଁଭଳି ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିଛି, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଅନ୍ୟପଟେ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରିଛି । ଏସବୁ ଆଶ୍ବସ୍ତିକର ଦୃଶ୍ୟ ଭିତରେ ଅସ୍ତ୍ରବିରତିକୁ ନେଇ ଦେଖାଦେଲାଣି ବଡ଼ ଆଶଙ୍କା।
ସେହି ୪ ଜଣ ଇସ୍ରାଏଲର ମହିଳା ସୈନିକ, ଯିଏ କି ଦୀର୍ଘ ୪୭୭ ଦିନ ପରେ ହମାସ କବ୍ଜାରୁ ମୁକ୍ତ ହୋଇ ନିଜର ସ୍ବେଦେଶ ଇସ୍ରାଏଲ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ କରିଥିବା ଭୟଙ୍କର ଆକ୍ରମଣ ସମୟରେ ଏମାନଙ୍କୁ ଅପହରଣ କରିନିଆଯାଇଥିଲା । ଏମାନଙ୍କୁ ମୁକୁଳାଇବାକୁ ସବୁ ସମ୍ଭବ ପ୍ରୟାସ କରିଥିଲା ଇସ୍ରାଏଲ । ସବୁ ଚେଷ୍ଟା ପରେ ବି ଏମାନେ କିନ୍ତୁ ମୁକୁଳିପାରିନଥିଲେ । ଆଉ ଶେଷରେ ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧବିରତି ହେବା ପରେ ଏମାନଙ୍କୁ ମୁକ୍ତ କରିଛି ହମାସ ।
ଅସ୍ତ୍ରବିରତି ବୁଝାମଣା ଅନୁସାରେ, ପୂର୍ବରୁ ୩ ଜଣ ପଣବନ୍ଦୀଙ୍କୁ ଛାଡ଼ିଥିଲା ହମାସ । ଆଉ ଏବେ ଏହି ୪ ମହିଳା ସୈନିକଙ୍କୁ ମୁକ୍ତ କରାଯାଇଛି । ବଡ଼ କଥା ହେଉଛି, ଏମାନେ ହେଉଛନ୍ତି ସେହି ସୈନିକ ଯାହାଙ୍କର ଭିଡିଓ, ଇସ୍ରାଏଲ ଉପରେ ହମାସର ଆକ୍ରମଣ ସମୟରେ ଖୁବ ଭାଇରାଲ ହୋଇଥିଲା । ଯିଏ କି ସୀମା ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ । ତେବେ ଅଚାନକ ହୋଇଥିବା ହମାସ ଆକ୍ରମଣ ପରେ ଏମାନଙ୍କୁ ଅପହରଣ କରିନେଇଥିଲା ହମାସ । ଯାହାର ଭିଡିଓ ସେ ସମୟରେ ଖୁବ ଭାଇରାଲ ହୋଇଥିଲା ।
ଅପହରଣ ସମୟରେ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେହି ୟୁନିଟରେ ୫ ଜଣ ମହିଳା ଥିଲେ । ତେବେ ଜଣଙ୍କୁ ବାଦ ଦେଇ ୪ ଜଣଙ୍କୁ ମୁକ୍ତ କରିଛି ହମାସ । ୨୦ ବର୍ଷୀୟ ଅଗମ ବର୍ଗରଙ୍କ ଭିଡିଓ ମଧ୍ୟ ସେତେବେଳେ ଖୁବ ଭାଇରାଲ ହୋଇଥିଲା । ହେଲେ ତାଙ୍କୁ ହମାସ ଏବେ ବି ନିଜ କବ୍ଜାରେ ରଖିଥିବା ଜଣାପଡ଼ିଛି ।
Comments are closed.