Latest Odisha News

BREAKING NEWS

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ଓ ଦିବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକାର ଗଗନ ପବନ ଜଗନ୍ନାଥମୟ ହୋଇ ଉଠିଥିବା ଦେଖାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସାଙ୍ଗକୁ ମନ୍ତ୍ରର ମଧୁର ଉଚ୍ଚାରଣର ଗହଗହ ନାଦରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା । ବଢି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ମଙ୍ଗଳ ଆଳତି ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

ଦ୍ୱିପହରରେ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରାଯାଇ ସୁନ୍ଦର, ସୁସଜ୍ଜିତ ଓ ପିପିଲି ଚାନ୍ଦୁଆରେ ସୁଶୋଭିତ ରଥ ଉପରକୁ ଅଣାଯାଇଥିଲା । ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସାରର ଆବାଳ ବୃଦ୍ଧ ବନିତାଙ୍କ ସହ ତାଙ୍କର ଦିବ୍ୟ ଲୀଳା ପରିପ୍ରକାଶ କରିବା ପାଇଁ ଶ୍ରୀମନ୍ଦିର ଛାଡ଼ି ରାଜ ରାସ୍ତାକୁ ବିଜେ କରିଥିଲେ । ରାଜକୀୟ ଠାଣିର କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, କନିଷ୍ଠ ଭଗ୍ନୀ ମା’ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୁଢ଼ ହେବାର ବେଶ ହୃଦୟସ୍ପର୍ଶୀ ଥିଲା । ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ଅବସର ଥିଲା ।

ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘର ସଭାପତି ଓ ଟ୍ରଷ୍ଟି ଡ଼ଃ. ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ । ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଯେଉଁ ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ରଥଟିକୁ ଟାଣି ନେଉଥିଲେ ତାହା ସୌହାର୍ଦ୍ଦ୍ୟ ଓ ସଦଭାବନାର ନିଆରା ଉଦାହରଣ ଥିଲା ।

ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚି ଥିଲା । ଏଠାରେ ରୋଷଣୀ କରାଯାଇ ଚାରିଠାକୁରଙ୍କୁ ରଥ ଉପରୁ ମନ୍ଦିର ମଧ୍ୟକୁ ନିଆଯାଇ, ସେଠାକାର ଆଡ଼ପ ମଣ୍ଡପରେ ଆସୀନ କରାଯାଇଥିଲା ।

ରଥଯାତ୍ରା ଉତ୍ସବର ଅନ୍ୟତମ ଆକର୍ଷଣ ଭାବରେ ଗୁଣ୍ଡିଚା ମନ୍ଦିର ଠାରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଓ ଅଦ୍ଭୂତପୂର୍ବ ଥିଲା। ମୋୱା ତରଫରୁ ମହାପ୍ରଭୁଙ୍କର ଭଜନ କାର୍ଯ୍ୟକ୍ରମ ପରେ ମହାପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା ।

ଜୁଲାଇ ୮ ତାରିଖ ନୀଳାଦ୍ରି ବିଜେ ପାଳନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ସମଗ୍ର ରଥଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟିବୃନ୍ଦ ଯଥା:- ଡଃ ଭଗବାନ ପଣ୍ଡା, ବଳରାମ ପାତ୍ର, ଡଃ ମନୋଜ କୁମାର ନାୟକ, ଡଃ କେତନ ଗୋଖଲେ,ବି.ସି. ଖଟୁଆ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ପି.ଏମ୍. ମହାପାତ୍ର ତଥା ଡଃ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ ।

Comments are closed.