ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ବେଳେ ଗୁରୁବାର ଅପରାହ୍ନ ୪ଟାରୁ ମୁଣ୍ଡଳୀ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଛି। ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁସାରେ ମହାନଦୀର ଜଳସ୍ତର ୯୪.୨୦ ଫୁଟ୍ ଉପରମୁଣ୍ଡରେ ଏବଂ ୯୧.୮୦ ଫୁଟ୍ ତଳମୁଣ୍ଡରେ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳି ବ୍ୟାରେଜରେ ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
ଅନ୍ୟପଟେ ରାତି ୯ଟା ସୁଦ୍ଧା ହୀରାକୁଦର ଜଳଭଣ୍ଡାରରେ ରାତି ୯ଟାରେ ୬୧୨.୦୪ ଫୁଟ, ରହିଛି। ଯେଉଁଠାରେ ସେକେଣ୍ଡ ପିଛା ୩ ଲକ୍ଷ ୯୯ ହଜାର ୯୦୭ କ୍ୟୁସେକ ଜଳ ପ୍ରବାବିତ ହେଉଛି। ସେହିପରି ଦୁଇଟି ଗେଟ୍ ଓ ଅନ୍ୟାନ୍ୟ ପଥ ଦେଇ ୬୬ ହଜାର ୮୯୧ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ମୁଣ୍ଡଳୀ ଠାରେ ସକାଳୁ ବନ୍ୟା ପାଣି ବୃଦ୍ଧି ପାଇଥିବା ବେଳେ ସକାଳେ ୮.୨୮ ଲକ୍ଷ କ୍ୟୁସେକ୍ ଓ ଅପରାହ୍ନ ୩ଟାରେ ୯.୧୦ ଲକ୍ଷ କ୍ୟୁସେକ୍ ହେବା ପରେ ଅପରାହ୍ନ ୪ଟାରେ ଏହା ୯.୧୮ ଲକ୍ଷ କ୍ୟୁସେକରେ ପହଞ୍ଚିଛି ବୋଲି ଏସଆରସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମୁଣ୍ଡଳୀ ଦେଇ ୯.୫ ଲକ୍ଷ କ୍ୟୁସେକ୍ ଅତିକ୍ରମ କଲେ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଭଳି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି।
ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବନ୍ୟାଜଳ ପହଞ୍ଚିବ ବୋଲି ଜଳସମ୍ପଦ ଇଆଇସି ଭକ୍ତରଞ୍ଜନ ମହାନ୍ତି ସତର୍କ କରାଇଦେଇଥିବାରୁ ଏହି ତିନିଟି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇତିମଧ୍ୟରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୩ ମିଟର ଥିବା ବେଳେ ଏହା ୨୨.୨୦ ମିଟରରେ ସ୍ଥିର ରହିଛି।
ତେବେ ବୌଦ୍ଧରେ ଲଗାଣ ବର୍ଷା ଯୋଗୁ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ୨୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଥିବା ବେଳେ ଜଗନ୍ନାଥ ସଡ଼କରେ ୫ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି।
Comments are closed.