Latest Odisha News

BREAKING NEWS

ଛାତ୍ରୀ ନିବାସରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ଜୀବନ ବଞ୍ଚାଇଲେ ସ୍ଥାନୀୟ ଯୁବକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ହାତିବନ୍ଧା ଛାତ୍ରୀ ନିବାସରୁ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ ହୋଇଛି । ସ୍ଥାନୀୟ ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମ ଯୋଗୁଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଛାତ୍ରୀ ଜଣଙ୍କ । ଅନ୍ୟପଟେ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଳି ଛାତ୍ରୀ ନିବାସରୁ ଗତକାଲି ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ, ଅଜଣା ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ନେଇ ଯାଉଥିଲେ । ସେହି ସମୟରେ ଛତୁ ସଂଗ୍ରହ  ପାଇଁ ଯାଇଥିବା ଜଣେ ଯୁବକ ଉଦ୍ଧବ ସତନାମୀ ଦେଖିଥିଲେ । ଉଦ୍ଧବ ଡେରି ନକରି ଅନ୍ୟ ଦୁଇଜଣକୁ ଡାକି ଅପହରଣକାରୀଙ୍କ ପିଛା କରିଥିଲେ ।

ଉଦ୍ଧବ ଓ ତାଙ୍କ ସାଙ୍ଗମାନଙ୍କୁ ଦେଖି ଛାତ୍ରୀ ଜଣଙ୍କୁ ଛାଡ଼ି ଅପହରଣକାରୀ ଚମ୍ପଟ ମାରିଥିଲା । ଛାତ୍ରୀଙ୍କୁଉଦ୍ଧାର କରି ସ୍କୁଲକୁ ଆଣିବା ସହ ସ୍ଥାନୀୟ ଲୋକ ବିଭିନ୍ନ ସ୍ଥାନରେ ଜଗି ରହି ଅପହରଣକାରୀକୁ କାବୁ କରି  ସିନାପାଲି ପୋଲିସ ଜିମା ଦେଇଥିଲେ ।

ଏବେ ନାବାଳିକା ଜଣଙ୍କ ସୁସ୍ଥ ଅଛନ୍ତି । ଏହାର ତଦନ୍ତ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ବାପାମାଆ । ପ୍ରଧାନଶିକ୍ଷକ ବିରାଲସେନ ନାଗ ଅପହରଣ ଘଟଣାକୁ ମାନିବା ସହ ସେଦିନ ସେ ଛୁଟିରେ ଥିଲେ । ପାଣି ମଟର ଖରାପ ଥିବାରୁ ମରାମତି ପାଇଁ ନେଇଥିଲେ ବୋଲି କହିଛନ୍ତି ।

ପାଣି ପମ୍ପ ଖରାପ ହେତୁ ଛାତ୍ରୀମାନେ ବାହାରକୁ ପାଣି ଆଣିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା କହିବା ସହ ତଦନ୍ତ କରା ଯାଉଥିବା କହିଛନ୍ତି । ଖବର ପାଇ  ସିନାପାଲି ଡବ୍ଲୁଇଓ ସୁନୀଲ କୁମାର ସାମଲ ସ୍କୁଲକୁ ଆସି ତଦନ୍ତ କରିଛନ୍ତି । ଯେଉଁମାନଙ୍କ ସମ୍ପୃକ୍ତି ଆସିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡବ୍ଲୁଇଓ ।

Leave A Reply

Your email address will not be published.