ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀର କଶ୍ମୀରକୁ ନେଇ ପୁଣି ଥରେ ଭାରତ ବିରୋଧୀ ବୟାନ ଦେଇଛନ୍ତି। ଆମେରିକାର ଫ୍ଲୋରିଡାରେ ପ୍ରବାସୀ ପାକିସ୍ତାନୀଙ୍କୁ ସମ୍ବୋଧିତ କରି ମୁନୀର କହିଛନ୍ତି, “କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ, ଏହା ଏକ ଅସମାପ୍ତ ଆନ୍ତର୍ଜାତିକ ପ୍ରସଙ୍ଗ।” ସେ କଶ୍ମୀରକୁ ପାକିସ୍ତାନର ‘ଗଳାର ନାଡ଼ି’ ବୋଲି କହି ପାକିସ୍ତାନର ପୂର୍ବତନ ନେତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବୟାନକୁ ପୁନରାବୃତ୍ତି କରିଛନ୍ତି।
ମୁନୀର ଦାବି କରିଛନ୍ତି, ଭାରତ ସହ ସମ୍ପ୍ରତି ଉତ୍ତେଜନାରେ ପାକିସ୍ତାନ ସାହସର ସହ ମୁକାବିଲା କରିଛି। ସେ କହିଛନ୍ତି, ଭାରତର ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦିଆଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ପହଲଗାମ ଆତଙ୍କୀ ହମଲା ପୂର୍ବରୁ ମୁନୀର କଶ୍ମୀରକୁ ‘ଗଳାର ନାଡ଼ି’ ବୋଲି କହିଥିଲେ।
ଏହି ବୟାନ ଉପରେ ଭାରତ ତୁରନ୍ତ ପ୍ରତିକ୍ରିୟା ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, “କୌଣସି ବୈଦେଶିକ ଅଂଶ ଭାରତର କୌଣସି ଭାଗକୁ ‘ଗଳାର ନାଡ଼ି’ କିପରି କହିପାରେ? ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ରହିବ।” ମନ୍ତ୍ରଣାଳୟ ଆହୁରି କହିଛି, ପାକିସ୍ତାନର ଏକମାତ୍ର ଦାୟିତ୍ୱ ହେଉଛି ଅବୈଧ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା।
ମୁନୀର ତାଙ୍କ ଭାଷଣରେ ଆମେରିକା ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାରେ ଏକ ଇତିହାସ ବୋଲି ଅଭିହିତ କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା କରି କହିଛନ୍ତି, ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି କହିଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ ଆମେରିକା ସହ ବାଣିଜ୍ୟ ଓ ନିବେଶରେ ନୂଆ ସୁଯୋଗ ସୃଷ୍ଟି ହେବ।
ଉଲ୍ଲେଖଯୋଗ୍ୟ, ଆମେରିକା ଭାରତ ଉପରେ ମାତ୍ରାଧିକ ଟାରିଫ ଲଗାଇଛି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ହେଲେ ଏହାରି ଭିତରେ ଟ୍ରମ୍ପଙ୍କ ଆତଙ୍କୀ ପ୍ରେମ ଉଛୁଳିଛି। ସେ ପାକିସ୍ତାନକୁ ନିଜ କୋଳରେ ବସାଇ ଆଗକୁ ନେବେ ବୋଲି ଇସାରା ଦେଇଛନ୍ତି। ଏପରି କରି ଭାରତ ସହ ଥିବା ଦୋସ୍ତିକୁ ସେ ଆଉ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ପରୋକ୍ଷରେ କହିଛନ୍ତି।। ତେଣୁ ଭାରତର ଅର୍ଥନୀତିକୁ ଡେଡ୍ ଇକୋନମି ବୋଲି କହିଛନ୍ତି। ଯାହାକୁ ନେଇ ସାରା ବିଶ୍ୱର ଅର୍ଥନୀତି ଓ ତାଙ୍କ ଦେଶର ଅର୍ଥନୀତିଜ୍ଞ ମଧ୍ୟ ଟ୍ରମ୍ପଙ୍କୁ ଆଇନା ଦେଖାଇଛନ୍ତି।
Comments are closed.