Latest Odisha News

ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ରାଖାଲ ମହାନ୍ତି

କଟକ: ବରିଷ୍ଠ କଣ୍ଠଶିଳ୍ପୀ ତଥା ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ଦୀର୍ଘଦୀନ ଧରି ଅସୁସ୍ଥ ରହିଥିଲେ ଏବଂ ରବିବାର ଦିନ ତାଙ୍କର ପରଲୋକ ହୋଇଯାଇଛି ।

ସ୍ୱର୍ଗତ ରାଖାଲ ଚନ୍ଦ୍ର ମହାନ୍ତି ଅଲ ଇଣ୍ଡିଆ ରେଡ଼ିଓରେ ଦୀର୍ଘ ୨୦ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରିବା ପରେ ଓଡ଼ିଆ ସଙ୍ଗୀତ ଜଗତ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥିଲେ । ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ବାଳକୃଷ୍ଣ ଦାସଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ସହିତ ରାଖାଲ ମହାନ୍ତି ଅନେକ ପ୍ରସିଦ୍ଧ ଓଡ଼ିଆ ସିନେମାରେ କଣ୍ଠଦାନ କରିଛନ୍ତି ।

ବିଶିଷ୍ଟ ସଙ୍ଗୀତଶିଳ୍ପୀ ରାଖାଲ ମହାନ୍ତି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେହି ଚଳଚ୍ଚିତ୍ର ଗୁଡ଼ିକ ହେଲା – ଅକ୍ଷି ତୃତୀୟା, ଅମର ପ୍ରେମ, ମାଣିକ ଯୋଡ଼ି ଓ ତ୍ରିନାଥ ମେଳା ।

ସେହିପରି ତାଙ୍କ କଣ୍ଠରେ ଅନେକ ଓଡ଼ିଆ ସିନେମା ଗୀତ ଲୋକାଦୃତ ହୋଇପାରିଛି । ତେବେ ଅକ୍ଷି ତୃତୀୟା ଫିଲ୍ମର ମନଛୁଆଁ ଗୀତ ଏଇ ତାରା ଭରା ଜହ୍ନରାତି କଣ୍ଠଶିଳ୍ପୀ ସୁବାସ ଦାଶଙ୍କ କଣ୍ଠରେ ଏତେମାତ୍ରାରେ ପ୍ରସିଦ୍ଦି ଲାଭ କରିଥିଲା ଯାହାକି ଆଜି ପର୍ଯ୍ୟନ୍ତ ଶ୍ରୋତାମାନେ ଭୁଲି ପାରିନାହାନ୍ତି ।

ସ୍ୱର୍ଗତ ମହାନ୍ତି ମଧ୍ୟ ଶାସ୍ତ୍ରୀୟ ଓଡ଼ିଆ ସଙ୍ଗୀତ ଦୁନିଆରେ ନିଜର ପରାକାଷ୍ଠା ଲାଗି ବେଶ୍ ସ୍ୱନାମ ଅର୍ଜନ କରିପାରିଥିଲେ । ସେ ସତୁରୀ ଦଶକରେ ବିଶିଷ୍ଟ ନୂତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ, କୁମକୁମ ମହାନ୍ତି ଏବଂ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରି ପ୍ରସିଦ୍ଧ କଳାକାରମାନଙ୍କ ସହିତ ଏକାସାଙ୍ଗରେ କାର୍ଯ୍ୟ କରିଛନ୍ତି ।

ଓଡ଼ିଆ ସିନେମା ଜଗତରେ ତାଙ୍କର ଅନବଦ୍ୟ ଅବଦାନ ଲାଗି ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ନିତାଇ ପାଲିତ ସମ୍ମାନ ତଥା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ମେମୋରିଆଲ ସମ୍ମାନ ହାସଲ କରିଛନ୍ତି ।

ତାଙ୍କର ମୃତ୍ୟୁରେ ଓଡ଼ିଆ ଫିଲ୍ମ ଓ ସଙ୍ଗୀତ ଜଗତର ଅନେକ କଳାକାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.