Latest Odisha News

BREAKING NEWS

ଅମିତ ଶାହଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ସେତେବେଳେ ମୋ ମା କାନ୍ଦିଥିଲେ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାର ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି।

ପହଲଗାମରେ ଆତଙ୍କବାଦୀ ଘଟଣା ପରେ ମଧ୍ୟ ସେ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଇ ନାହାଁନ୍ତି ବୋଲି ପଚାରିଛନ୍ତି। ସେ ଶାହଙ୍କ ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସୋନିଆ ଗାନ୍ଧୀ ୨୦୦୮ ବାଟଲା ହାଉସ୍ ଏନକାଉଣ୍ଟରରେ ନିହତ ଆତଙ୍କବାଦୀଙ୍କ ପାଇଁ କାନ୍ଦିଥିଲେ। ଲୋକସଭାରେ ପ୍ରିୟଙ୍କା କହିଥିଲେ, “ଯେତେବେଳେ ତାଙ୍କ ସ୍ୱାମୀ ଆତଙ୍କବାଦୀଙ୍କ ଦ୍ୱାରା ସହିଦ ହୋଇଥିଲେ ସେତେବେଳେ ମୋ ମାଆଙ୍କ ଆଖିରୁ ଲୁହ ଝରି ପଡିଥିଲା। ଏବଂ ସେ ସେତେବେଳେ କେବଳ ୪୬ ବର୍ଷ ବୟସର ଥିଲେ।

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସମୟରେ ତାଙ୍କ ପରିବାରର ବ୍ୟକ୍ତିଗତ କ୍ଷତି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, “ଆଜି ମୁଁ ଏହି ଗୃହରେ ୨୬ ପରିବାରର ଯନ୍ତ୍ରଣା ବିଷୟରେ କହୁଛି।” ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ କିମ୍ବା ଗୁପ୍ତଚର ମୁଖ୍ୟ ଇସ୍ତଫା ଦେଇଥିଲେ କି? ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି? ଇସ୍ତଫା ବିଷୟରେ ଭୁଲିଯାଆନ୍ତୁ, ସେ ଏହି ଆକ୍ରମଣର ଦାୟିତ୍ୱ ମଧ୍ୟ ନେଇନଥିଲେ।

ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ଗତକାଲି ଏହି ଗୃହରେ ଯେତେବେଳେ ଗୌରବ ଗୋଗୋଇ ଦାୟିତ୍ୱ ବିଷୟରେ କଥା ହୋଇଥିଲେ, ରାଜନାଥ ସିଂହ ମୁଣ୍ଡ ହଲାଇଥିଲେ, କିନ୍ତୁ ଗୃହମନ୍ତ୍ରୀ ହସୁଥିଲେ।

ସେ କହିଥିଲେ ଯେ ମୁମ୍ବାଇ ଆକ୍ରମଣ ପରେ ମନମୋହନ ସରକାର କିଛି କରିନଥିଲେ। ଯେତେବେଳେ ସେ ଘଟଣା ଘଟିଥିଲା ସେତେବେଳେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ରହିଯାଇଥିଲା। ଯାହାକୁ ପରେ ଫାଶି ମଧ୍ୟ ଦିଆଯାଇଥିଲା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଦେଶର ଗୃହମନ୍ତ୍ରୀ ସେତେବେଳେ ଇସ୍ତଫା ଦେଇଥିଲେ।

କିନ୍ତୁ ଉରି-ପୁଲୱାମା ସମୟରେ ରାଜନାଥ ଜୀ ଗୃହମନ୍ତ୍ରୀ ଥିଲେ।ଆଜି ସେ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି। ଅମିତ ଶାହଙ୍କ ସମୟରେ ମଣିପୁର ଜଳୁଛି, ଦିଲ୍ଲୀ ଦଙ୍ଗା ହେଲା, ପହଲଗାମ ଆକ୍ରମଣ ଘଟିଥିଲା ଏବଂ ଆଜି ବି ମଧ୍ୟ ସେ ଗୃହମନ୍ତ୍ରୀ ଅଛନ୍ତି। ସେ କାହିଁକି ଇସ୍ତଫା ଦେଲେ ନାହିଁ, ଦେଶ ଜାଣିବାକୁ ଚାହୁଁଛି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ପହଲଗାମର ବୈସାରଣ ଉପତ୍ୟକାରେ ମୃତ୍ୟୁବରଣ କରିଥିବା ୨୬ ଜଣଙ୍କ ମଧ୍ୟରୁ ୨୫ ଜଣ ଭାରତୀୟ ଥିଲେ। ଆପଣ ଯେତେ ଅପରେସନ କରନ୍ତୁ, ଆପଣ ଏହି ସତକୁ ଲୁଚାଇପାରିବେ ନାହିଁ ଯେ ଆପଣ ସେମାନଙ୍କୁ କୌଣସି ସୁରକ୍ଷା ଯୋଗାଇ ନାହାଁନ୍ତି। ଆପଣ ପର୍ଯ୍ୟଟକଙ୍କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଥିଲେ।

 

Comments are closed.