Latest Odisha News

ନାଇଡୁଙ୍କ ଅଭିଯୋଗ କ’ଣ ସତ?

ଅମରାବତୀ: ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ଲାଗି ହେଉଥିବା ଲଡୁ ପ୍ରସାଦକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ଓ ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ପୂର୍ବ ସରକାର ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ,ଯାହାକୁ ନେଇ ଆରମ୍ଭ ହୋଇଯାଇଛି କାଦୁଅ ଫୋପଡା ଫୋପଡି ।

ନାଇଡୁଙ୍କ ଅଭିଯୋଗ: ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ପଶୁ ଚର୍ବି
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ସଂଗୀନ ଅଭିଯୋଗ । ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଲଡୁ ପ୍ରସ୍ତୁତି ନେଇ ପୂର୍ବର ଜଗନ ସରକାର ବିରୋଧରେ ନାଇଡୁ ଆଣିଛନ୍ତି ସଂଗୀନ ଅଭିଯୋଗ । କହିଛନ୍ତି ଯେ, ଜଗନ ସରକାର ଅମଳରେ ତିରୁପତି ମନ୍ଦିର ପ୍ରସାଦ ଓ ଲଡୁରେ ନିମ୍ନମାନର ସାମଗ୍ରୀ ମିଶାଯାଉଥିଲା । ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ମିଶାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ନାଇଡୁ ।

ରାଜ୍ୟରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଇଡୁ କହିଥିଲେ ଯେ, ଜଗନ ସରକାର ଅମଳରେ ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିର ପ୍ରସାଦ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା । ନାଇଡୁ କହିଛନ୍ତି ଯେ, ତିରୁମାଲା ତିରୁପତି ଦେବସ୍ଥାନମ –ଟିଟିଡି ଓ ଭଗବାନ ଭେଙ୍କଟେଶ୍ୱର ହେଉଛନ୍ତି ଆନ୍ଧ୍ରବାସୀଙ୍କ ସବୁଠୁ ବଡ ସଂପତ୍ତି । ମନ୍ଦିରର ପବିତ୍ରତା ରକ୍ଷା ପାଇଁ ରାଜ୍ୟର ଏନଡିଏ ସରକାର ସବୁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

ତେବେ ତିରୁପତି ମନ୍ଦିର ଲଡୁରେ ଶୁଦ୍ଧ ଦେଶୀ ଘିଅ ପରିବର୍ତ୍ତେ ପଶୁ ଚର୍ବି ମିଶା ଯାଉଥିଲା ବୋଲି ନାଇଡୁଙ୍କ ଚାଂଚଲ୍ୟକର ଅଭିଯୋଗ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ୱାଇଏସଆରସିପି ସରକାର ଅମଳରେ ତିରୁପତି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ମୁକ୍ତ ଖାଦ୍ୟ ଓ ଲଡୁର ମାନ ଅତି ଖରାପ ଥିଲା ନାଇଡୁ କହିଛନ୍ତି ।

ନାଇଡୁଙ୍କ ଅଭିଯୋଗକୁ ଖାରଜ କଲା ୱାଇଏସଆରସିପି

ତିରୁପତି ମନ୍ଦିର ପ୍ରସାଦ ଓ ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଅଭିଯୋଗ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜଗନମୋହନ ରେଡ୍ଡିଙ୍କ ଦଳ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦୁର୍ଭାବନାପୂର୍ଣ୍ଣ । ନାଇଡୁଙ୍କ ବୟାନ ପାଇଁ ଜୋରଦାର ଟାର୍ଗେଟ କରିଛି ଦଳ । ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଟିଡିପି ସୁପ୍ରିମୋ ଯେକୌଣସି ସ୍ତରକୁ ଯାଇପାରିବେ ବୋଲି କହିଛନ୍ତି ୱାଇଏସଆରସିପି ନେତା ୱାଇ. ବି ସୁବା ରେଡ୍ଡି । ଜଗନ ସରକାର ଥିବା ବେଳେ ୱାଇ. ବି ସୁବା ରେଡ୍ଡି ଥିଲେ ତିରୁମାଲା ତିରୁପତି ଦେବସ୍ଥାନମ-ଟିଟିଡିର ଅଧ୍ୟକ୍ଷ । ମିଛ ଅଭିଯୋଗ ଆଣି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦିବ୍ୟ ମନ୍ଦିରର ପବିତ୍ରତା ଓ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇ ବଡ ପାପ କରିଛନ୍ତି ବୋଲି ସୁବା ରେଡ୍ଡି କହିଛନ୍ତି । ମଣିଷ ଜନ୍ମ ପାଇଥିବା କୌଣସି ମଣିଷ ଏଭଳି ଟିପ୍ପଣୀ କି ଅଭିଯୋଗ କରିବ ନାହିଁ ବୋଲି ସୁବା ରେଡ୍ଡି କହିଛନ୍ତି ।

ଜଗନ ସରକାର ବେଳେ ପ୍ରସାଦର ମାନ ନେଇ ଥିଲା ଅଭିଯୋଗ

ଜଗନମୋହନ ରେଡ୍ଡି ସରକାର ଥିବା ବେଳେ ମନ୍ଦିର ପରିଚାଳନା ସଂସ୍ଥା ତିରୁମାଲା ତିରୁପତି ଦେବସ୍ଥାନମ-ଟିଟିଡି ପ୍ରସାଦ ପାଇଁ ଘିଅ ଯୋଗାଣ କରିବାକୁ ଏକ ଘରୋଇ କଂଟ୍ରାକ୍ଟରକୁ ଠିକା ଦେଇଥିଲା । ପୂର୍ବରୁ ଲଡୁ ଓ ଅନ୍ୟ ପ୍ରସାଦରେ କର୍ଣ୍ଣାଟକର ନନ୍ଦିନୀ ବ୍ରାଣ୍ଡ ଘିଅ ବ୍ୟବହାର ହେଉଥିଲା । ତେବେ, ଘିଅ ସପ୍ଲାୟର ବଦଳିବା ପରେ ଲଡୁର ଖରାପ ମାନ ନେଇ ଆସିଥିଲା ଅନେକ ଅଭିଯୋଗ । ଏବେ ନାଇଡୁ ସରକାର ପୁଣି ଲଡୁ ପ୍ରସ୍ତୁତି ପାଇଁ କର୍ଣ୍ଣାଟକର ନନ୍ଦିନୀ ଘିଅ କମ୍ପାନିକୁ ଠିକା ଦେଇଛନ୍ତି ।

ଲଡୁ ପାଇଁ ପ୍ରତିଦିନ ଦରକାର ୧୦ ହଜାର କିଲୋ ଘିଅ

ତିରୁପତିର ଭଗବାନ ଭେଙ୍କଟେଶ୍ୱରଙ୍କ ଲଡୁ ପ୍ରସାଦର ଚାହିଦା କାହିଁରେ କ’ଣ । ଶ୍ରଦ୍ଧାଳୁଙ୍କ ପାଇଁ ଲଡୁ ହିଁ ତିରୁପତି ମନ୍ଦିରର ମୁଖ୍ୟ ପବିତ୍ର ପ୍ରସାଦ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ୩ ଲକ୍ଷରୁ ଅଧକ ଲଡୁ ପ୍ରସ୍ତୁତ କରାଯାଏ । ଲଡୁ ପ୍ରସାଦ ପ୍ରସ୍ତୁତି ପାଇଁ ପ୍ରତିଦିନ ୧୦ ହଜାର କିଲୋ ଘିଅ ଦରକାର ହୁଏ ।

Leave A Reply

Your email address will not be published.