Latest Odisha News

ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍‌ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରା ଉଚରା

ଝାରସୁଗୁଡ଼ା: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତଦନ୍ତରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍‌ବ୍ରାଞ୍ଚର ୨ ଜଣିଆ ଦଳ।

ଏଥିସହ ନବଙ୍କ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଦୋଳମଣି ତାଣ୍ଡିଙ୍କୁ ପୁନର୍ବାର ପଚରା ଉଚରା କରାଯାଇଛି। ସେହିପରି ଝାରସୁଗୁଡା ବିମାନ ବନ୍ଦରର କର୍ମଚାରୀଙ୍କୁ ଘଟଣାଦିନ ନବଙ୍କୁ ଭୁବନେଶ୍ବର ପଠାଯିବା ବେଳର ଘଟଣାକ୍ରମ ବିଷୟରେ ପଚାରିବା ଲାଗି ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଛି କ୍ରାଇମ୍‌ବ୍ରାଞ୍ଚ। ସରବାହାଲସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ନବଙ୍କ ପତ୍ନୀ ମିନତିଙ୍କୁ ୯ଟା ୨୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ପାଖାପାଖି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରିଥିଲେ।

ତେବେ ଗତକାଲି ଦିନ ୧ଟାରେ ମିନତି, ବିଶାଲ ଏବଂ ଦୀପାଳି ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇ ସେଠାରୁ ତାଙ୍କ ସ୍ବତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଭୁବନେଶ୍ବର ଯାଇଥିଲେ। ମୀନତି ଦାସ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ।

Comments are closed.