Latest Odisha News

ବିଶିଷ୍ଟ ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ, ଭୁଲ ମାନିଲା ଅନୁଗୋଳ ପୌର ପରିଷଦ

ଅନୁଗୋଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପରିଧାନ ବିବାଦ ଗଣମାଧ୍ୟମରେ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏସବୁ ଭିତରେ ଚାରିଆଡୁ ସମାଲୋଚିତ ହେବା ପରେ ସୋମବାର ଦୁଃଖ ପ୍ରକାଶ ସହ ସ୍ପଷ୍ଟୀକରଣ ରଖିଛି ଅନୁଗୋଳ ପୌର ପରିଷଦ ।

ପରିଷଦ ପକ୍ଷରୁ ଜାରି ଚିଠିରେ କୁହାଯାଇଛି, ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା କିନ୍ତୁ ଆବକ୍ଷ ପ୍ରତିଛବି ଆସିଥିବାରୁ ସେମାନଙ୍କ ପରିଧାନର ସୂଚନା ନଥିଲା । ଏପରିକି ସ୍ଥାନୀୟ ବୁଦ୍ଧିଜୀବୀ ବି କୁଆଡେ ପରିଧାନ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯାଉଛି ଓ ଏହା ଏକ ଅନିଚ୍ଛାକୃତ ତ୍ରୁଟି ବୋଲି ସଫେଇ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୋଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତିରେ ବେକ ଚିପା ସାର୍ଟ, ବୁଟ୍‌ ସାଙ୍ଗକୁ ତାଙ୍କ ପ୍ରତିମୂର୍ତ୍ତୀରେ ଫୁଲମାଳ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦେଖାଦେଇଥିଲା ବିବାଦ ଓ ବିଭିନ୍ନ ମହଲରୁ ପ୍ରକାଶ ପାଇଥିଲା ପ୍ରତିକ୍ରିୟା।

ବିଶିଷ୍ଟ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ କହିବା ମୁତାବକ, କେବଳ ଶାସନରେ ଆସିବା ସମୟରେ ନୁହେଁ, କଲେଜ ବେଳୁ ତାଙ୍କର ଧୋତି ପ୍ରୀତି ରହିଥିଲା। ଧୋତି ପିନ୍ଧି ସେ ରେଭେନ୍‌ସା କଲେଜ ଯାଉଥିଲେ। ଯୌବନ ସମୟରୁ ଥିବା ଧୋତି ପିନ୍ଧା ଅଭ୍ୟାସ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଆହୁରି ଉଦ୍‌ଭାଷିତ ହୋଇଥିଲା।

୧୯୨୦ ମସିହାରେ ଦେଶରେ ଗାନ୍ଧୀଜୀ ଯେତେବେ‌ଳେ ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନର ନାରା ଦେଲେ, ବାପା ସେବଠାରୁ ହାତ କଟା ସୂତାରେ ଧୋତି ତିଆରି କରି ପିନ୍ଧିବା ଆରମ୍ଭ କଲେ। ଅନୁଗୋଳ କଣ, ପୂରା ଓଡ଼ିଶାବାସୀ ତାଙ୍କୁ କେବଳ ଏହି ପୋଷାକରେ ଚିହ୍ନିଛନ୍ତି। ବେକ ଚିପା ସାର୍ଟ ସହିତ ବୁଟ୍‌ ପିନ୍ଧି ନବ ବାବୁ କେବେ ବୁଲିଥିଲେ ଯେ, ଅନୁଗୋଳ ପୌର ପ୍ରଶାସନ ତାଙ୍କୁ ଧୋତି ବଦଳରେ ପ୍ୟାଣ୍ଟ୍‌ ପିନ୍ଧାଇ ଦେଇଛି ବୋଲି ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.