Latest Odisha News

କମ୍ପିବ ମମତା ଗଡ: ନିୟୋଜିତ ହେଲେ ୬ହଜାର ପୋଲିସ୍, ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍

କୋଲକାତା: ଆଜି କମ୍ପିବ କୋଲକାତା ସହର । ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବନ୍ନା ଅଭିଯାନ’ର ଡାକରା ଦେଇଛନ୍ତି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବନ୍ନା ଭବନ ଘେରାଉ କରିବେ ପଶ୍ଚିମବଙ୍ଗ ଛାତ୍ର ସମାଜ । ସେପଟେ ଏହାକୁ ଦୃଢ ସମର୍ଥନ ଜଣାଇଛି ବିଜେପି ଏବଂ ବିକ୍ଷୋଭରତ ଜୁନିୟର ଡାକ୍ତର ସଂଘ ଏଥିରେ ଯୋଗ ଦେବେ ନାହିଁ ବୋଲି ମତ ରଖିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଡାକରା ଦେଇଛି ।  କୋଲକାତା ଲଜ୍ଜାକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ଦୃଢ ବିରୋଧ କରି ରବିନ୍ଦ୍ରଭାରତୀ ବିଶ୍ବବିଦ୍ୟାଳୟର ଏମଏ ଛାତ୍ର ପ୍ରବୀର ଦାସ ଓ କଲ୍ୟାଣୀ ବିଶ୍ବବିଦ୍ୟାଳୟର ଶୁଭଙ୍କର ହଳଧର ଏବଂ ଶହାନ ଲହିଡୀ ଏହି ବିକ୍ଷୋଭର ନେତୃତ୍ବ ନେବେ ବୋଲି ଘୋଷଣା କରିଛନ୍ତି । ଯାହା ମଙ୍ଗଳବାର ଦିନ ୨ଟା ବେଳୁ ଏହାକୁ ନେଇ ସେମାନେ କହିଛନ୍ତି, ଆମେ କୌଣସି ରାଜନୀତି କରୁନାହୁଁ । ଏହି ବିରୋଧ ଏକ ଫେସବୁକ୍ ପୋଷ୍ଟରୁ ଆରମ୍ଭ ହୋଇଛି  । ଏଥିସହିତ ସେମାନେ ଏହା ବି କହିଛନ୍ତି ଯେ, ଆମର ତିନୋଟି ଦାବି ରହିଛି । ଅଭୟାଙ୍କୁ ନ୍ୟାୟ, ଅପରାଧିକୁ ମୃତ୍ୟୁ ଦଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ।

ଅନ୍ୟପକ୍ଷରେ ଶାସକ ତୃଣମୂଳ କଂଗ୍ରେସ ଏହାକୁ ବେଆଇନ  ଏବଂ ବିଜେପି, ଆରଏସଏସ ଓ ସିପିଏମର ଚାଲ ବୋଲି ଦର୍ଶାଇଛି । ବିରୋଧୀ ରାଜ୍ୟରେ ଅଶାନ୍ତି ଖେଳାଇବା ପାଇଁ ଏପରି ଷଡଯନ୍ତ୍ର ରଚିଛି ବୋଲି କହିଛି ଟିଏମସି ।

ଅନ୍ୟପକ୍ଷରେ ଛାତ୍ରଙ୍କ ‘ନବନ୍ନା ଅଭିଯାନ’କୁ ଦୃଷ୍ଟିରେ ରଖି ସହରରେ ୬ ହଜାର ପୋଲିସ ନିୟୋଜିତ କରାଯାଇଛି । ପୂରା ୧୯ଟି ସ୍ଥାନରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏଥିସହିତ ଗୁରୁତ୍ବପୂର୍ଣ୍ଣ ଜାଗାମାନଙ୍କରେ ଲୁହାର ବ୍ୟାରିକେଡ ଲଗାଯାଇଛି । ରାଜ୍ୟ ସଚିବାଳୟ ‘ନବନ୍ନା ଭବନ’କୁ ବାହାରେ କୋଲକାତା ପୋଲିସ୍ ଓ ହାଓ୍ବଡା ପୋଲିସଙ୍କ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଘେରି ରହିଛି । ପୋଲିସ୍ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସିସିଟିଭି ସୁରକ୍ଷା ଓ ଓ୍ବାଟର କାନନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଛାତ୍ରଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି କୋଲକାତା ହାଓ୍ବଡା ବ୍ରିଜକୁ ପୂରା ସିଲ୍ କରାଯାଇ ଯାତାୟତ ବନ୍ଦ କରାଯାଇଛି ।

Comments are closed.