Latest Odisha News

BREAKING NEWS

ଅଜଣା ରୋଗ ଉଜାଡ଼ିଲା ଶୈଶବ, ଅସହାୟ ଚନ୍ଦ୍ର ସହୁଛି ଅସହନୀୟ ଯନ୍ତ୍ରଣା

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ। ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଶିଶୁ ଚନ୍ଦ୍ର ନାୟକ। ଖେଳିବା ବୁଲିବା ବୟସରେ ବିଛଣାରେ ପଡି ରହୁଥିବା ଶିଶୁଟି ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ କହ୍ନେଇମୁଣ୍ଡା ଗ୍ରାମର ଦାମ ନାୟକଙ୍କ ପୁଅ। ଶିଶୁଟିର ପେଟ ଦିନକୁ ଦିନ ଅସହ୍ୟ ଭାବରେ ବଢିଚାଲିଥିବା ବେଳେ ପରିବାର ଲୋକେ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପାଇଁ କହିଥିଲେ। ସେଠାରେ ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ପରେ ପର୍ଯ୍ୟାୟକ୍ରମେ କୋରାପୁଟ, ବ୍ରହ୍ମପୁର ଏବଂ ଶେଷରେ କଟକ ବଡ ମେଡ଼ିକାଲକୁ ନେଇଥିଲେ ପରିବାର ଲୋକେ। କଟକରେ ଦୀର୍ଘ ୧ ମାସ ଧରି ଚିକିତ୍ସା ହେଉଥିବା ବେଳେ ହଠାତ ଘରେ ଥିବା ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ଦେହାନ୍ତ ହୋଇଥିଲା। ଖବର ଶୁଣି ପରିବାର ଲୋକେ ଘରକୁ ଫେରିଆସିଲେ। ଘରକୁ ଫେରି ଝିଅର ଶୁଦ୍ଧିକ୍ରିୟା କରିଥିଲେ। ଶେଷରେ ଅଧାରେ ଅଟକିଗଲା କୁନି ପୁଅର ଚିକିତ୍ସା।

ଇତି ମଧ୍ୟରେ ୧୦ ଦିନ ବିତିଯାଇଛି କିନ୍ତୁ ପୁଣି କଟକ ନେଇ ସ୍ୱାସ୍ଥ୍ୟ ଦେଖାଇବା ପାଇଁ ବାପା ପାଖରେ ସମ୍ବଳ ନଥିବାରୁ ଘରେ ରହି ଯନ୍ତ୍ରଣା ଭୋଗୁଛି କୁନି ପୁଅ। ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବା ଶିଶୁଟିର ଦେହ ଅଧିକ ବିଗିଡି ଯାଉଥିବାରୁ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ। ଶିଶୁଟିର ପରିବାର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସହାୟତା କରିବା ପାଇଁ ଗ୍ରାମବାସୀମାନେ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପରିବାର ପାଖରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିବା ବେଳେ ଅର୍ଥ ଅଭାବ ଏବଂ ସଚେତନତା ଅଭାବରୁ ତାହା କାର୍ଯ୍ୟରେ ଆସିପାରୁନଥିବା ଦେଖିବାକୁ ମିଳିଛି।

ତେବେ ସଚେତନତା ଅଭାବ ହେଉ କିମ୍ବା ଅର୍ଥ ଅଭାବ ଏହାର ସିଧା ପ୍ରଭାବ କୁନି ପିଲା ଉପରେ ପଡୁଥିବା ବେଳେ ଶିଶୁ ଟିର ଯନ୍ତ୍ରଣାବୃଦ୍ଧି ପାଇବା ସହ ବର୍ତ୍ତମାନ ଛୁଆଟି ମୃତ୍ୟୁ ସହ ସଂଗ୍ରାମ କରୁଛି। ଖବର ପାଇ ରାଷ୍ଟ୍ରୀୟ ବାଲ ବିକାଶ ଯୋଜନାର ବିଭାଗୀୟ ଅଧିକାରୀମାନେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଦେଖି ତାର ସମସ୍ତ ଚିକିତ୍ସା କରାଯିବା ନେଇ ସୂଚନା ଦେଇଛନ୍ତି। ଏପରି ଗରିବ ଅସହାୟ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଶିଶୁଟିକୁ ଚିକିତ୍ସା ସୁବିଧା ଯୋଗାଇ ଦେଲେ ଶିଶୁଟିର ଯନ୍ତ୍ରଣା ଦୂର ହୋଇପାରନ୍ତା।

Leave A Reply

Your email address will not be published.