ନବରଙ୍ଗପୁର: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ମୃତ୍ୟୁ ହାର ବି କମିବାର ନାଁ ଧରୁନି। ଏ ଭିତରେ ନବରଙ୍ଗପୁର ଜିଲ୍ଲାରେ ଆଇସିୟୁ ବେଡ୍ ନ ଥିବାରୁ ଆଦିବାସୀ ପ୍ରାଧାନ୍ୟରେ ଗୁରୁତର କୋଭିଡ ପଜିଟିଭ ରୋଗୀଙ୍କ ଚିକିତ୍ସା ଅବହେଳିତ ହେଉଥିବା ଜଣାପଡିଛି।
ଜିଲ୍ଲାରେ ଆଇସିୟୁର ସୁବିଧା ନଥିବାରୁ ଚିକିତ୍ସା ପାଇଁ ଗୁରୁତର କୋଭିଡ ରୋଗୀଙ୍କୁ ନବରଙ୍ଗପୁର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ କୋରାପୁଟରେ ଥିବା SLNMCH ମେଡିକାଲକୁ ପଠାଯାଉଛି। କିନ୍ତୁ ଏଠାରେ ମଧ୍ୟ ଗତ କିଛିଦିନ ହେବ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
“ଗୁରୁତର ରୋଗୀମାନେ ଆଇସିୟୁରେ ଚିକିତ୍ସା ଆବଶ୍ୟକ କରନ୍ତି କିନ୍ତୁ ଆମର ଗୋଟିଏ ଆଇସିୟୁ ବେଡ୍ ନ ଥିବାରୁ ଆମେ ସମସ୍ୟାର ସମ୍ମୁଖୀନ ହେଉଛୁ। ଜିଲ୍ଲା କୋଭିଡ୍ ହେଲ୍ଥ ସେଣ୍ଟରରେ ୬୭ ଜଣ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କୁ ସୁବିଧା ଅନୁଯାୟୀ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଜଣେ ସ୍ୱାସ୍ଥ୍ୟ କର୍ମଚାରୀ କହିଛନ୍ତି।
ଏ ନେଇ ଜିଲ୍ଲା ପ୍ରଶାସନ କହିଛନ୍ତି ଯେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାର କୌଣସି ଆଇସିୟୁ ବେଡ୍ର ସୁବିଧା ନାହିଁ। କିନ୍ତୁ ଆସନ୍ତା କିଛି ଦିନ ମଧ୍ୟରେ DCHC ରେ ଅତି କମରେ ୧୨ ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କଲେକ୍ଟର ଅଜିତ ମିଶ୍ର।
ମିଶ୍ର କହିଛନ୍ତି, “DCHC ରେ ଅତି କମରେ ୧୨ ଟି ଆଇସିୟୁ ବେଡ୍ ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି ଏବଂ ଆମେ ଆଶା କରୁଛୁ ଯେ ଆସନ୍ତା ତିନି ଚାରି ଦିନ ମଧ୍ୟରେ ଆଇସିୟୁ ବେଡ୍ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବ।
Comments are closed.