Latest Odisha News

BREAKING NEWS

ଲାଞ୍ଚ କାରବାରକୁ ନେଇ ସିଡିପିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କ ଉପରେ ବର୍ଷିଲେ ବିଧାୟକ ଗୌରୀ ଶଙ୍କର ମାଝୀ । ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଖବର ମିଳିବା ପରେ ବିଧାୟକ ଗୌରୀ ଶଙ୍କର ମାଝୀ ତାଙ୍କ ଉପରେ ବର୍ଷିଥିବା ସୂଚନା ରହିଛି ।

ଖବର ମୁତାବ, ଆଜି ନବରଙ୍ଗପୁର ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ବ୍ଲକବାସୀଙ୍କ ପାଇଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରଖିଥିଲେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକ ଅଙ୍ଗନବାଡି କେନ୍ଦ୍ର ଗୁଡିକର କୁନିକୁନି ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇଦେବା ପାଇଁ ଦାୟିତ୍ୱ ନେଇଥିବା ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ନବରଙ୍ଗପୁର ସିଡିପିଓ ସବିତାରାଣୀ ବ୍ରହ୍ମା ମହୋଦୟା ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏସଏଚଜି ଗ୍ରୁପ ସିଡିପିଓଙ୍କୁ ୫ ହଜାର ଟଙ୍କା ଦେବାରୁ ସେ ୫ ହଜାର ଟଙ୍କାରେ ରାଜି ନହୋଇ ୧୦ ହଜାର ଟଙ୍କା ନଦେଲେ ହେବନାହିଁ ବୋଲି କହିଥିଲେ ନବରଙ୍ଗପୁର ସିଡିପିଓ ।

ଏହିଭଳି ଅଭିଯୋଗ ନେଇ ସମ୍ପୃକ୍ତ ଏସଏଚଜି ଗ୍ରୁପ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କୁ ଭେଟିଥିଲେ । ଏହାପରେ ସମସ୍ତ ଲୋକଙ୍କ ଉପସ୍ଥିତିରେ ସିଡିପିଓଙ୍କୁ ଡାକି ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗ ବିଷୟରେ ବିଧାୟକ ସିଡିପିଓଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ, କିନ୍ତୁ ନବରଙ୍ଗପୁର ସିଡିପିଓ ମହୋଦୟା ବିଧାୟକଙ୍କ ସମ୍ମୁଖରେ କିଛି କହିପାରିନଥିଲେ । ଏହାପରେ ବିଧାୟକ ଏହି ସରକାରରେ ଲାଞ୍ଚ କାରବାର ଚଳିବନାହିଁ, ଏହା ସୁସ୍ଥ ଆଉ ଭଲ ପରମ୍ପରା ନୁହେଁ, ଓଡ଼ିଶାରେ ନୂଆ ସରକାର ଆସିଲା, ଆପଣ ନୂଆରେ ଆସିଛନ୍ତି ବୋଲି ଲାଞ୍ଚ ମାଗୁଛନ୍ତି କି, ଆମେ ବଡ଼ଲୋକ ନୁହଁ, ଆମେ ଲୋକଙ୍କ ସେବା କରିବାପାଇଁ ଆସିଛୁ ବୋଲି ବିଧାୟକ କଥିଲେ । ଏହା ସହ ଆପଣ ଲାଞ୍ଚ ମାଗୁଥିବା ନେଇ ମୋ ନିକଟରେ ପ୍ରମାଣ ରହିଛି, ଆପଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିପିଓଙ୍କ ଉପରେ ବର୍ଷିଥିଲେ ବିଧାୟକ ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ବିରୁଦ୍ଧରେ ବିଧାୟକଙ୍କ କାନ ଭରିଥିବା କହିଛନ୍ତି ସିଡିପିଓ । ମୁଁ କୌଣସି ଲାଞ୍ଚ କାରବାରରେ ଲିପ୍ତନାହିଁ ବୋଲି କହିବା ସହ ନିଜପ୍ରତି ହୋଇଥିବା ଅଭିଯୋଗକୁ ନିଜେ ତଦନ୍ତ କରିବେ ବୋଲି କହିଥିଲେ ନବରଙ୍ଗପୁର ସିଡିପିଓ ସବିତାରାଣୀ ବ୍ରହ୍ମା ।

Comments are closed.