Latest Odisha News

BREAKING NEWS

ନବଦାସ ହତ୍ୟା ଚାର୍ଜସିଟ ଦାଖଲ ପରେ କ୍ରାଇମବ୍ରାଞ୍ଚ ଉପରେ ବର୍ଷିଲା ବିଜେପି; ବିଜେଡି କହିଲା ‘ଏହା ବିରୋଧୀଙ୍କ କାମ’

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାର  ୧୧୮ ଦିନ ପରେ ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଚାର୍ଜସିଟ ଦାଖଲ ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ ।

ନବଦାସ ହତ୍ୟା ପଛରେ ଯେଉଁ କାରଣ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଦର୍ଶାଇଛି ତାହାକୁ ନେଇ ବିଜେପି ଉଭୟ ସରକାର ଓ କ୍ରାଇମବ୍ରାଞ୍ଚକୁ ଟାର୍ଗେଟ କରିଛି । ଅନ୍ୟପକ୍ଷେ ବିଜେପି କଟାକ୍ଷର  ଉତ୍ତର ଦେଇ ବିଜେଡି ବିରୋଧୀଙ୍କୁ କଡା ସମାଲୋଚନା କରିଛି ।

ଆଜି କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର  ୫୪୩ ପୃଷ୍ଠାର  ପ୍ରିଲିମିନାରୀ  ଚାର୍ଜସିଟ ଦାଖଲ କରିଛି ।  ଏଥିରେ କୁହାଯାଇଛି, ଗୋପାଳ ମାନସିକ ଭାବେ ସୁସ୍ଥ ଥିଲା । ବ୍ୟକ୍ତିଗତା ଶତ୍ରୁତା କାରଣରୁ ସେ ନବଙ୍କୁ  ହତ୍ୟା କରିଛି । ନବ ଦାସ ଓ ତାଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ଗୋପାଳ ନବ ଦାସଙ୍କୁ ହତ୍ୟା କରିଛି । ହେଲେ ଶତ୍ରୁତା କାହିଁକି ଥିଲା ଏବଂ ନବ ଓ ତାଙ୍କ ସମର୍ଥକଙ୍କଠାରୁ କାହିଁକି ଭୟ ଥିଲା ସେ ବିଷୟରେ ଚାର୍ଜସିଟରେ ଉଲ୍ଲେଖ ନାହିଁ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସମ୍ପୂର୍ଣ୍ଣ ଅସ୍ପଷ୍ଟ ରହିଛି । ନବ ଦାସ ଏବଂ ତାଙ୍କ ଲୋକ ମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ କାହିଁକି ଲେଖିନାହାନ୍ତି କ୍ରାଇମବ୍ରାଞ୍ଚ ।   ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି । ତାଙ୍କର ମାନସିକ ଭାରସାମ୍ୟ ସ୍ଥିର ଥିଲା ଏବଂ ସେ ଜଣେ କାର୍ୟ୍ୟରତ ପୋଲିସ ଥିଲେ । ଯଦି ହତ୍ୟା ଯୋଜନାବଦ୍ଧ ତେବେ  କେବେ ଓ କଣ ପାଇଁ ଏହି ଯୋଜନା କରିଥିଲେ ଗୋପାଳ ? ଯଦି ସେ ସୁସ୍ଥ ମାନସିକତାରେ ଥିଲେ ତେବେ ସେ ନିଜର ଘର, ପରିବାର, ପିଲାମାନଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ ? ଏ ପ୍ରଶ୍ନର ଉତ୍ତର କାହିଁକି କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଦେଇନି ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣାକୁ ଚପାଇବାକୁ ସରକାର ଉଦ୍ୟମ କରୁଛନ୍ତି ଏବଂ ପରେ ପ୍ରମାଣ ଅଭାବରୁ ଗୋପାଳକୁ ଖସାଇବାରେ ବି ସଫଳ ହେବେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।  ପ୍ରମିଳା ମଲ୍ଲିକ କହିଛନ୍ତି,   ସରକାର ଯେତେ ଭଲ କାମ କଲେ ବି ବିରୋଧୀ ବିରୋଧ କରିବେ  । ହେଲେ ସାଧାରଣ ଲୋକଙ୍କ ପାଖରେ ସରକାର ଉତ୍ତରଦାୟୀ । ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସରକାର କରିବେ । କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିବେ ନ୍ୟାୟ ସମସ୍ତଙ୍କୁ ମିଳିବ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

 

Comments are closed.