Latest Odisha News

BREAKING NEWS

କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଗୋପାଳ ନୁହେଁ ପାଗଳ, ଯୋଜନାବଦ୍ଧ ଭାବେ ନବଙ୍କୁ କରିଥିଲା ହତ୍ୟା

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୧୧୮ ଦିନ ଅର୍ଥାତ୍ ୩ ମାସ ୨୯ ଦିନ ପରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୫୪୩ ପୃଷ୍ଠାର କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ କାହିଁକି ନବଙ୍କୁ ମାରିଲା ସେ ବାବଦରେ ଉଲ୍ଲେଖ ରହିଛି ।

୨୦୨୩ ଜାନୁଆରୀ ୨୯ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଏଏସ୍ଆଇ ଗୋପାଳ ଅତି ନିକଟରୁ ଗୁଳି କରିଥିଲା । ସେହିଦିନ ନବଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରି ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ଆଖି ବୁଜିଥିଲେ । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳକୁ ତିନି ତିନିଥର ରିମାଣ୍ଡରେ ନେଇ ଜେରା କରିବା ସହ ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ କରିଥିଲା ।

ଏବେ ନବଙ୍କ ହତ୍ୟାକାଣ୍ଡକୁ ୪ ମାସ ପୂରିବାକୁ ଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଦାଖଲ କରିଛି ଚାର୍ଜସିଟ୍ । ଗୋପାଳ ଚାକିରି ଆରମ୍ଭ କରିବା ଦିନରୁ ଗୁଳିମାଡ଼ ଯାଏ କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରିଛି । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ୮୯ ଜଣଙ୍କୁ ପଚରାଉଚରା କରିବା ସହ କିଛି ଗୁଳି ଜବତ କରିଛି ।

ଗୋପାଳର ମାନସିକ ବିକୃତି ଥିବା ନେଇ ପରିବାର ଲୋକ କରିଥିବା ଅଭିଯୋଗ ଅନୁସାରେ, ତାର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ହେଲେ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷାରେ ଗୋପାଳର ହାବଭାବ ସବୁ ସାମାନ୍ୟ ଥିଲା । ଏପରିକି କ୍ରାଇମବ୍ରାଞ୍ଚର ଜେରା ବେଳେ ଆଦୌ ବିଚଳିତ ନଥିଲା ଗୋପାଳ । ତଦନ୍ତରେ ସହଯୋଗ କରିବା ସହ ତଦନ୍ତକାରୀ ଅଧିକାରୀ ଯାହା ପଚାରୁଥିଲେ ତାର ଉତ୍ତର ଗୋପାଳ ଦେଉଥିଲା ।

ଗୋପାଳ ଦାସ ଯୋଜନାବଦ୍ଧ ଭାବେ ଓ ସମ୍ପୂର୍ଣ୍ଣ ଜ୍ଞାତସାରରେ ନବ ଦାସଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିବା ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି । ଏବଂ ଗୋପାଳର ମାନସିକ ସ୍ୱାସ୍ଥ୍ୟ ଠିକ୍ ଥିବା କହିଛି କ୍ରାଇମବ୍ରାଞ୍ଚ । ତେବେ ନବ ଦାସଙ୍କ ସହ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ଗୋପାଳ ତାଙ୍କୁ ଗୁଳି କରିଥିବା କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ନବ ଓ ତାଙ୍କ ସମର୍ଥକଙ୍କ ଠାରୁ ଗୋପାଳର ଜୀବନ ପ୍ରତି ବିପଦ ଥିବା ସେ ଭାବିବା ସହ ଭୟଭୀତ ହୋଇ ପଡ଼ିଥିଲା । ଯାହାକୁ ନେଇ ସେ ନବଙ୍କୁ ମାରିଦେବାକୁ ଯୋଜନା କରି ସେଥିରେ ସଫଳ ହୋଇଥିଲା । ତେବେ ନବ ଓ ଗୋପାଳଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତାର କାରଣ କଣ ? କେଉଁ କାରଣ ପାଇଁ ନବଙ୍କୁ ଗୋପାଳ ଗୁଳି କଲା ? ସେ ବିଷୟରେ କ୍ରାଇମବ୍ରାଞ୍ଚ କୌଣସି ସୂଚନା ଦେଇନି । ନବ ଦାସଙ୍କୁ ହତ୍ୟାର ୪ ମାସ ପରେ ବି ହତ୍ୟା ରହସ୍ୟ ରହସ୍ୟରେ ରହି ଯାଇଛି ।

Leave A Reply

Your email address will not be published.