Latest Odisha News

BREAKING NEWS

ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତରେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନାଗପୁର: ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତ । ଶୁଣିବା ପାଇଁ ଏହା ଅଜବ ଲାଗୁଛି । କିନ୍ତୁ ଏହା ସତ। ନାଗପୁରର ଜଣେ ୨୮ ବର୍ଷୀୟ ଯୁବକ ଅଜୟ ପ୍ରତେକି ନିଜ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହଠାତ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ଜୁଲାଇ ପାଞ୍ଚ ତାରିଖରେ ଘଟିଥିବା ଏହି ଘଟଣାରେ ପୋଲିସ ଏବେ ତଦନ୍ତ ଜାରି ରଖିଛି।

ଦେଶରେ ଏବେ ଯୁବପିଢୀ ହୃଦଘାତର ଶିକାର ହେବା ଏକ ଟ୍ରେଣ୍ଡ ପାଲଟି ଯାଇଛି। ଏଥିପାଇଁ ଏବେର ଜୀବନଶୈଳୀ ସହିତ ଅନ୍ୟାନ୍ୟ କାରଣ ରହିଛି। ତେବେ ପୋଲିସ ନାଗପୁରର ଏହି ମାମଲାକୁ ନେଇ ତଦନ୍ତ କରୁଥିବା ବେଳେ ମୃତ ଯୁବକର ପକେଟରୁ ଭାଇଗ୍ରା ଟାବଲେଟକୁ ଜବତ କରିଛି। ଯାହା ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବାରେ ସହଯୋଗ କରିଥାଏ। ତେବେ ହୃଦଘାତର କାରଣ ଏହି ଟାବଲେଟ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ଯୁବକ ଜଣଙ୍କ ଡାକ୍ତରଙ୍କ ବିନା ପରାମର୍ଶରେ ଆବଶ୍ୟକତାରୁ ଅଧିକ ଟାବଲେଟ ଖାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଅନ୍ୟପଟେ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁୟାୟୀ ଅଜୟ ପ୍ରତେକି ମୃତ୍ୟୁର କିଛି ଦିନ ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ଥିଲେ। ଏ ନେଇ ମୃତକଙ୍କ ପରିବାର ଲୋକେ ଅବଗତ ଥିଲେ। ଅଜୟ ପେଶାରେ ଜଣେ ଡ୍ରାଇଭର ସହିତ ଓ୍ୱେଲଡିଂ ଦୋକାନରେ ମଧ୍ୟ କାମ କରୁଥିଲେ। ସେ ତାଙ୍କର ପ୍ରେମିକାଙ୍କ ସହ ବିବାବ କରିଥାନ୍ତେ । ଯିଏକି ପେଶାରେ ଜଣେ ନର୍ସ (୨୩) ଅଟନ୍ତି। ଉଭୟ ପରିବାର ବିବାହ ପାଇଁ ସହମତି ପ୍ରକାଶ କରିଥିଲେ। ଯୁବତୀଙ୍କ ଘର ମଧ୍ୟପ୍ରଦେଶର ଛିନ୍ଦାଓ୍ୱାଲା ବୋଲି ଜଣାପଡିଛି।

ହୃଦରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ ସଞ୍ଚେତି କହିଛନ୍ତି ଯେ, ସେକ୍ସ ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିବା ଘଟଣା ବିରଳ କିନ୍ତୁ ସମ୍ଭବ। ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଛାତିରେ ଅଧିକ ବ୍ଲକିଂ ଦେଖିବାକୁ ମିଳୁଛି। ଯଦି କାହାର ବିନା ଚିକିତ୍ସାରେ ଆଟେରୀ ଡ୍ୟାମେଜ ହୋଇଥିବ, ତେବେ ସେକ୍ସ ଭଳି କଷ୍ଟକର କାମ ସମୟରେ ଏହା ଘାତକ ସାବ୍ୟସ୍ତ ହୋଇପାରେ। ପ୍ରତେକିଙ୍କ ମାମଲାକୁ ଦେଖି ସେ ହାର୍ଟ ଚେକ୍ଅପ୍ ପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ଏହି ମାମଲାକୁ ବିସ୍ତୃତ ଭାବରେ ବୁଝାଇବାକୁ ଯାଇ କହିଛନ୍ତି ଶାରୀରିକ କାମ କରିବା ସମୟରେ ହୃତପିଣ୍ଡର ମାଂସପେଶୀ ପାଇଁ ରକ୍ତ ଏବଂ ଅମ୍ଳଜାନର ଅତ୍ୟଧିକ ଆବଶ୍ୟକତା ରହିଛି। ଯାହା ପୂରଣ ନହେଲେ ମାରାତ୍ମକ ହୋଇପାରେ। ହାଇପରଟ୍ରୋଫିକ କାର୍ଡିଆକ ମାୟୋପାଥି  ବା ହୃତପିଣ୍ଡର ମାଂସପେଶୀର ମୋଟାପଣରେ ପୀଡିତ ଲୋକମାନେ ମଧ୍ୟ ସେକ୍ସ ଭଳି କାମ କରିବା ସମୟରେ ମୃତ୍ୟୁବରଣ କରିପାରନ୍ତି।

ସେ କହିଛନ୍ତି, “ଯୌନ କାର୍ଯ୍ୟକଳାପ ସମୟରେ ହୃଦସ୍ପନ୍ଦନ ଓ ରକ୍ତଚାପ ବୃଦ୍ଧି ପାଇଥାଏ, ଯାହା ମୃତ୍ୟୁର କାରଣ ହୋଇପାରେ। ଲୋକମାନେ ଏବେ ପୂର୍ବ ଅପେକ୍ଷା ଅଧିକ ହୃଦୟର ଯତ୍ନ ନେବା ଆବଶ୍ୟକ।”।

Comments are closed.