ମୁମ୍ବାଇ: ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଟ୍ରକ୍ ଏବଂ ଏକ ଅଟୋ ଧକ୍କାରେ ଆଠ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଜାଲନାର କଦଭାଞ୍ଚି ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳେ ଛଅ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଟେମ୍ପୋରେ ଡ୍ରାଇଭର ସମେତ ମୋଟ ୧୧ ଜଣ ଥିଲେ। ଗାଡିଟି ଛାଡିବାକୁ ଯାଉଥିବା ସମୟରେ, କଦୱାଞ୍ଚି ଗାଁରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା।” ସେ କହିଛନ୍ତି ଯେ ସାତ ଜଣ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି, ଏବଂ ଅନ୍ୟ ଜଣେ ମହିଳା ଜଲନାର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ପୋଲିସ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଠ ଜଣଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।