Gadkari dares E20 critics: ସମାଲୋଚକଙ୍କୁ ନୀତିନ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ, ‘କେଉଁଠି ଖରାପ ହୋଇଛି E20 ପେଟ୍ରୋଲ କାର୍, ଦେଖାଅ…’
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମାଲୋଚକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। “E20 ପେଟ୍ରୋଲ ବ୍ୟବହାର କରି କେଉଁ କାର୍ ଖରାପ ହୋଇଛି? ଗୋଟିଏ ଉଦାହରଣ ଦେଖାନ୍ତୁ,” ବୋଲି ସେ କହିଛନ୍ତି। E20କୁ ନେଇ ଚାଲୁଥିବା ଅନେକ ଦାବିକୁ ସେ ‘ମିଥ୍ୟା ପ୍ରଚାର’ ଏବଂ ‘ପେଡ୍ କ୍ୟାମ୍ପେନ୍’ ବୋଲି ଅଭିହିତ କରିଛନ୍ତି।
‘ବିକଶିତ ଭାରତ କନକ୍ଲେଭ୍’ରେ ଯୋଗଦେଇ ଗଡ଼କରୀ କହିଛନ୍ତି, ଭାରତ E20 ଇଥାନଲ ମିଶ୍ରିତ ପେଟ୍ରୋଲ ଲକ୍ଷ୍ୟ ହାସଲ କରିସାରିଛି। ଏହା ଦ୍ୱାରା ଅଶୋଧିତ ତୈଳ ଆମଦାନି କମିବ, କାର୍ବନ ନିର୍ଗମନ ହ୍ରାସ ପାଇବ ଏବଂ କୃଷକମାନେ ଅଧିକ ଆୟ ପାଇବେ। ତାଙ୍କ କହିବାନୁସାରେ, E20 ପେଟ୍ରୋଲ ବ୍ୟବହାର ଯୋଗୁଁ କୌଣସି ଗାଡ଼ିରେ ସମସ୍ୟା ସୃଷ୍ଟି ହୋଇଥିବା ପ୍ରମାଣ ସରକାରଙ୍କ ପାଖରେ ନାହିଁ।
ତେବେ E20କୁ ନେଇ ବିବାଦ ଥମୁନି। ସମାଲୋଚକଙ୍କ ଅଭିଯୋଗ, ଇଥାନଲ ମିଶ୍ରିତ ପେଟ୍ରୋଲରେ କିଛି ପୁରୁଣା ଗାଡ଼ିର ଇଞ୍ଜିନ ଉପରେ ପ୍ରଭାବ ପଡ଼ିପାରେ ଏବଂ ମାଇଲେଜ୍ ମଧ୍ୟ କମିପାରେ। ବ୍ରାଜିଲ ଭଳି ଦେଶରେ ଗ୍ରାହକଙ୍କ ପାଖରେ ବିଭିନ୍ନ ଇଥାନଲ-ପେଟ୍ରୋଲ ବିକଳ୍ପ ଥିବାବେଳେ, ଭାରତରେ ବର୍ତ୍ତମାନ E20 ହିଁ ସାଧାରଣ ପେଟ୍ରୋଲ ଭାବେ ଉପଲବ୍ଧ।
ଗଡ଼କରୀ କହିଛନ୍ତି, ଭାରତ ପ୍ରତିବର୍ଷ ପ୍ରାୟ ୨୨ ଲକ୍ଷ କୋଟି ଟଙ୍କାର ଇନ୍ଧନ ଆମଦାନି କରୁଛି। ତେଣୁ ବିକଳ୍ପ ଇନ୍ଧନ ଦିଗରେ ଯିବା ଆର୍ଥିକ ଓ କୌଶଳଗତ ଦୃଷ୍ଟିରୁ ଜରୁରୀ। ପରିବାରର ଚିନି କାରଖାନା ପାଇଁ ସେ ଇଥାନଲକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଉଠୁଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଏଥିସହିତ ମକାରୁ ଇଥାନଲ ଉତ୍ପାଦନକୁ ଅନୁମତି ମିଳିବା ପରେ ମକାର ବଜାର ଦର କ୍ୱିଣ୍ଟାଲ ପିଛା ୧୨୦୦ ଟଙ୍କାରୁ ବଢ଼ି ୨୮୦୦ ଟଙ୍କାକୁ ପହଞ୍ଚିଥିବା ଦାବି କରି ଗଡ଼କରୀ କହିଛନ୍ତି, ଏହା ଦ୍ୱାରା ଉତ୍ତରପ୍ରଦେଶ ଓ ବିହାରର କୃଷକମାନଙ୍କୁ ପ୍ରାୟ ୪୫ ହଜାର କୋଟି ଟଙ୍କାର ଅତିରିକ୍ତ ଆୟ ମିଳିଛି।
ଏପଟେ E25 ପେଟ୍ରୋଲ ଆସିବ ବୋଲି ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ E20ରୁ ଅଧିକ ଇଥାନଲ ମିଶ୍ରଣ କରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ବୈଜ୍ଞାନିକ ଅଧ୍ୟୟନ ଓ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପରେ ହିଁ ଏ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।