Latest Odisha News

BREAKING NEWS

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ ପାଳିତ

‘ଭୁବୋଭାରାବତାରକଂ ଭବାବଧୀକର୍ଣ୍ଣଧାରକମ୍
ଯଶୋମତୀ-କିଶୋରକଂ ନମାମି ଦୁଗଧଚୋରକମ ।।’
ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଛି । ଆଜି ନନ୍ଦ ଉତ୍ସବ ପାଳିତ ହୋଇଛି ।

ଶ୍ରୀମନ୍ଦିରରେ ଦୁର୍ଗା ଜନ୍ମ ନୀତି :

ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତଙ୍କ ବନ୍ଦାପନା ପରେ ଦୁର୍ଗାଙ୍କୁ ଭଣ୍ଡାର ଘରୁ ଆଣି ସିଂହାସନ ଉପରେ ସୁଭଦ୍ରାଙ୍କ ବାଡରେ ବସାଯାଏ । ପତି ମହାପାତ୍ର ସିଂହାସନ ଉପରେ ଚଢି ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ନେଇ ଦୁର୍ଗାଙ୍କୁ ଲାଗି କରିବା ପରେ ପତିମହାପାତ୍ର ତାଙ୍କୁ ହାତରେ ବିଜେ କରି ଜଗମୋହନରେ ଲାଗିଥିବା ଦୋଳିର ସାମ୍ନାରେ କାଠନିର୍ମିତ ସିଂହାସନ ଉପରେ ବିଜେ କରନ୍ତି ।

ପୂଜାପଣ୍ଡା ସେଠାରେ ଦୁର୍ଗାଙ୍କ ପାଖରେ ବରୁଣ ପୂଜା, ତାପରେ ମହାସ୍ନାନ, ଲୁଗାଲାଗି, ଭୋଗ ପରେ ବନ୍ଦାପନା ହୋଇ ହାତରେ ବିଜେ ହୋଇ ସାତପାହାଚରେ ଡମ୍ବରୁ ଉପରେ ବିଜେ ହୁଅନ୍ତି । ସେଠାରେ ବିଜୁଳି କନ୍ୟା ନୀତି ହୁଏ । ଜୈନିକ ସେବକ କାଠର ଏକ ବିଜୁଳି କନ୍ୟାକୁ ଦୂରକୁ ଫିଙ୍ଗି ଦିଅନ୍ତି, ଏହାପରେ ଆଳତୀ ହୋଇ ଦୁର୍ଗା ଭଣ୍ଡାର ଘରକୁ ବିଜେ କରନ୍ତି । ଆଜି ମଝିବାଡ ଓ ମହାପ୍ରଭୁଙ୍କ ବାଡରେ ଷଷ୍ଠୀ ମାର୍କଣ୍ଡି ପୂଜା ହୁଏ ।

ଶ୍ରୀମନ୍ଦିରରେ ଦୁର୍ଗା ଜନ୍ମଉତ୍ସବ ନୀତି ସମାପନ ହେବା ପରେ ନନ୍ଦଉତ୍ସବ ନିମନ୍ତେ ଦୋଳିରେ ଅଧିଷ୍ଠିତ ହୋଇଥିବା ରାମ କୃଷ୍ଣ ଓ ମଦନମୋହନଙ୍କୁ ସେଠାରୁ ଏକ ଖଟ ଉପରେ ବିଜେ କରାଯାଏ । ତିନି ବିଗ୍ରହ ମାଜଣା, ମାଳ ଫୁଲ ଲାଗି ଓ ବେଶ ହୋଇ ସାତ ପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟ ଶେଜ ଉପରେ ବିଜେ ହୋଇଥାନ୍ତି । ଏହାପରେ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା ରୂପରେ) ଶ୍ରୀନଅରକୁ ଯାଇ ସେଠୁ ଆସି ସ୍ନାନ ମଣ୍ଡପ ଠାରେ ବସିଥାନ୍ତି । ତାଟଲେଙ୍କା ଗୋଟିଏ ଦୁହାଁଳି ଗାଈ ଲକ୍ଷ୍ମୀ ମନ୍ଦିର ପାଖକୁ ଆଣିଥାନ୍ତି।

ଗଉଡ଼ ପୁଅ ଜନ୍ମ ହେବା ଖବର ନନ୍ଦ ରାଜା (ଭିତରଚ୍ଛ ମହାପାତ୍ର)ଙ୍କୁ ଦିଆଯାଇଥାଏ ଓ ତାହାଙ୍କ ଲୁଗା ଫେରକୁ ଧରି ଭିଡି ଭିଡି ଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଅଣାଯାଇଥାଏ । ଏଠାରେ ନନ୍ଦ ରାଜା ଆସି ଗୋ ଦୋହନ କରିଥାନ୍ତି । ଚଳନ୍ତି ପ୍ରତିମାଙ୍କୁ ରୂପା ପିଙ୍ଗଣରେ ଦୁଧ ସମର୍ପଣ, ପ୍ରସାଦ ଲାଗି ଓ ରାଶି କୋରା ମଣୋହି କରିଥାନ୍ତି । ଏହାପରେ ବନ୍ଦାପନା ନୀତି ବଢିଥାଏ । ନନ୍ଦ ରାଜା ପୁଅମାନଙ୍କୁ ଧରି ଜଗମୋହନ ବନ୍ଧା ହୋଇଥିବା ଦୋଳିରେ ବିଜେ କରିଥାନ୍ତି । ତତ୍ପରେ ରାମ କୃଷ୍ଣ ଓ ଶ୍ରୀ ମଦନମୋହନ ଚଳନ୍ତି ପ୍ରତିମା ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଏହିପରି ଭାବେ ଶ୍ରୀମନ୍ଦିରରେ ନନ୍ଦଉତ୍ସଵ ଆଡମ୍ବର ସହ ପାଳନ ହୋଇଛି ।

‘ହସୁଚି ଗୋପପୁର
ନାଚୁଚି ଗୋପପୁର
ଗୋପୀଙ୍କ ମନେ ଖେଳେ ଆନନ୍ଦ
ନନ୍ଦ କୋଳେ ଗୋବିନ୍ଦ
ଆହା ନନ୍ଦ କୋଳେ ଗୋବିନ୍ଦ
ଦେଖରେ ଦେଖରେ
ଗୋପ ଆକାଶରେ
ଦେଖରେ ଦେଖରେ
ଗୋପ ଆକାଶରେ
କେଡ଼େ ସୁନ୍ଦର ଉଦିଆ ଚାନ୍ଦ
ନନ୍ଦ କୋଳେ ଗୋବିନ୍ଦ
ଆହା ନନ୍ଦ କୋଳେ ଗୋବିନ୍ଦ…..
ଓଁ ନମୋ ଭଗବତେ ବାସୁଦେବାୟ, ଓଁ କୃଷ୍ଣାୟ ନମଃ, ଓଁ ନମୋ ଭଗବତେ ଜଗନ୍ନାଥାୟ’

କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା । କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା । ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ । ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.