Latest Odisha News

BREAKING NEWS

Nandankanan Zoological Park: ଗୁଜୁରାଟରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ଭୁବନେଶ୍ବର:ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ନନ୍ଦନକାନନର ଦୁଇ ଜଣିଆ ଟିମ୍ ସୁରଟ ଯାତ୍ରା କରିଛନ୍ତି। ସେଠାକାର ଅଧିକାରୀଙ୍କ ସହ ଜନ୍ତୁ ଧରି ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ନନ୍ଦନକାନନରେ ପହଞ୍ଚିବେ।

ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା ସରିଛି। ନିଷ୍ପତ୍ତି ମୁତାବକ, ଗୁଜୁରାଟ ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସୁଥିବା ବେଳେ ଏହାର ପ୍ରତିବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି । ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ୫ଟି (୩ଟି ଅଣ୍ଡିରା,୨ଟି ମାଈ) ପାଣି ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ, ୧୦ଟି (୫ଟି ଅଣ୍ଡିରା, ୫ଟି ମାଈ) ଭାରତୀୟ ପଥର କଇଁଛ ଓ ୨ଟି (ଅଣ୍ଡିରା,ମାଈ) ରୁପେଲି କୁକୁଟ ଅଛନ୍ତି । ସେହିପରି ନନ୍ଦନକାନନରୁ ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ ମଧ୍ୟରେ ଦୁଇଟି (ଅଣ୍ଡିରା,ମାଈ) ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ୩ଟି (ଗୋଟିଏ ଅଣ୍ଡିରା,୨ଟି ମାଈ) ଚଉସିଂଙ୍ଗା,ଦୁଇଟି ମାଈ କୁଟୁରା ଓ ୫ଟି (୨ଟି ଅଣ୍ଡିରା,୩ଟି ମାଈ) ଭାରତୀୟ ବିଲୁଆ ଅଛନ୍ତି ।

ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି, ବିଲୁପ୍ତ ପ୍ରାୟ ଜୀବଜନ୍ତୁଙ୍କ ବଂଶବୃଦ୍ଧି ସହ ଏଠାରେ ରହୁଥ‌ିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ ।

Comments are closed.