Latest Odisha News

BREAKING NEWS

ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ବିଲ୍ ପାରିତ, ସମସ୍ତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୁରୁବାର ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ଏହି ବିଲ୍ ୨୧୫-୦ରେ ପାସ୍ ହୋଇଛି। ଗତ ବୁଧବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବିଲ୍କୁ ଏଆଇଏମ୍ଆଇଏମର ଦୁଇ ଜଣ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ସର୍ବସମ୍ମତ ସମର୍ଥନ ପ୍ରକୃତରେ ଖୁସିର ବିଷୟ ବୋଲି କହିଛନ୍ତି। ଏହା ସହିତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମଙ୍ଗଳବାର ନୂଆ କୋଠାକୁ ସ୍ଥାନାନ୍ତର ହେବା ପରେ ସଂସଦରେ ପ୍ରଥମ ବିଲ୍ ଭାବେ ପାରିତ ହୋଇଛି।

ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହେବା ଫଳରେ ଆମେ ଭାରତର ମହିଳାମାନଙ୍କ ପାଇଁ ସଶକ୍ତ ପ୍ରତିନିଧିତ୍ୱ ଏବଂ ସଶକ୍ତିକରଣର ଯୁଗ ଆରମ୍ଭ କରିଛୁ। ଏହା କେବଳ ଏକ ଆଇନ ନୁହେଁ, ଏହା ଆମର ଦେଶକୁ ଗଢ଼ି ତୋଳିଥିବା ଅଗଣିତ ମହିଳାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ସହନଶୀଳତା ଏବଂ ଯୋଗଦାନ ଦ୍ୱାରା ଭାରତ ସମୃଦ୍ଧ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି।

ଆଜି ଆମେ ଏହି ଉତ୍ସବ ପାଳନ କରୁଥିବା ବେଳେ ଆମକୁ ଆମ ଦେଶର ସମସ୍ତ ମହିଳାଙ୍କ ଶକ୍ତି, ସାହସ ଏବଂ ଅଦମ୍ୟ ଭାବନା ବିଷୟରେ ସ୍ମରଣ କରାଇ ଦେଉଛି। ଏହି ଐତିହାସିକ ପଦକ୍ଷେପ ସେମାନଙ୍କ ସ୍ୱରକୁ ଅଧିକ ପ୍ରଭାବୀ ଢଙ୍ଗରେ ଶୁଣିବା ପାଇଁ ଏକ ପ୍ରତିବଦ୍ଧତା ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ରାଜ୍ୟସଭାରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଂରକ୍ଷଣ ବିଲ୍ ଉପରେ ସହମତି ପାଇଁ ସମସ୍ତ ଦଳକୁ ଧନ୍ୟବାଦ ଦେଇଥିଲେ।

ଏହି ବିଧେୟକ ଦେଶବାସୀଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ସୃଷ୍ଟି କରିବ। ମହିଳା ସଶକ୍ତିକରଣ ଏବଂ ନାରୀ ଶକ୍ତିକୁ ବୃଦ୍ଧି କରିବାରେ ସମସ୍ତ ସଦସ୍ୟ ଏବଂ ରାଜନୈତିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତୁ ଦେଶକୁ ଏକ ଦୃଢ଼ ବାର୍ତ୍ତା ଦେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.